Odia News Portal

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାର୍କନ କରୋନା ଆକ୍ରାନ୍ତ

କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାର୍କନ। ଆଜି ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଫ୍ରାନ୍ସର ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆ ଯାଇଛି। କରୋନାରେ ଆକ୍ରାନ୍ତ ହୋଇଥିବାରୁ ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସେଲଫ ଆଇସୋଲେସନରେ ରହିବେ ରାଷ୍ଟ୍ରପତି ଇମାନୁଏଲ ମାର୍କନ।ରାଷ୍ଟ୍ରପତି ଭବନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମାର୍କନଙ୍କ ଶରୀରରେ କରୋନାର ଲକ୍ଷଣ ଦେଖାଦେବା ପରେ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା।

ଆଜି ଏହି ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେ ଆଇସୋଲେସନରେ ରହି ଭିଡିଓ କନଫରେନ୍ସିଂ ଜରିଆରେ ସରକାରୀ କାମ କରିବେ।ମାର୍କନଙ୍କ ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା।

ଅନ୍ୟପକ୍ଷରେ ଏବେ ୟୁରୋପୀୟ ଦେଶଗୁଡ଼ିକରେ କରୋନାର ଦ୍ୱିତୀୟ ଲହରୀ ଜାରି ରହିଛି। ଫ୍ରାନ୍ସ ରେ ପୂର୍ବଭଳି ସଂକ୍ରମଣ ଓ ମୃତ୍ୟୁହାର ବଢ଼ୁଥିବାରୁ ଫ୍ରାନ୍ସ ସରକାର ଲୋକଙ୍କ କାର୍ଯ୍ୟକଳାପ ଉପରେ କଟକଣା ଲଗାଇବା ସହ ସତର୍କତା ଅବଲମ୍ବନ ନିମନ୍ତେ ପରାମର୍ଶ ଦେଇଛନ୍ତି ।