ଫରେଷ୍ଟର୍ରୁ କୋଟିପତି ରେଞ୍ଜର୍, ଅଫିସ୍ ସମେତ ୯ଟି ସ୍ଥାନରେ ଚଢ଼ଉ By Swadhikar News Last updated Sep 20, 2025 ୨୦୦୭ରେ ଫରେଷ୍ଟର୍ ଭାବେ ଆରମ୍ଭ କରିଥିଲେ ଚାକିରି ଜୀବନ। ୨୦୧୮ରେ ଡେପୁଟି ରେଞ୍ଜର୍ ପଦୋନ୍ନତି ପାଇଥିଲେ। ଚାକିରିକୁ ୧୮ବର୍ଷ ବିତିଥିବା ବେଳେ ଏହା ଭିତରେ ଠୁଳ କରିଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି। ୫ଟି ମୂଲ୍ୟବାନ କୋଠା, ୯ ପ୍ଲଟ୍, ୨୮ ଲକ୍ଷ ବ୍ୟାଙ୍କ ଜମା ସହ ୨୬୩ ଗ୍ରାମ ସୁନା ସହ ଅଚଳାଚଳ ସମ୍ପତ୍ତିର ମାଲିକ ହୋଇଛନ୍ତି ରାୟଗଡ଼ା ବନଖଣ୍ଡର କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ ପରେ ଖୋଲିଛି ରେଞ୍ଜର୍ଙ୍କ କଳା ସମ୍ପତ୍ତିର ଚିଠା।ଶୁକ୍ରବାର ଭୋରରେ ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ଅନ୍ତର୍ଯ୍ୟାମୀଙ୍କ କାଶୀପୁରସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ସେହିପରି ଭିଜିଲାନ୍ସ ଡିଏସ୍ପି ପ୍ରମିଳା ସୁନାଙ୍କ ନେତୃତ୍ୱରେ ଦାରିଙ୍ଗବାଡ଼ି ବ୍ଲକର ଶ୍ରାନିକେତା, ଦାରିଙ୍ଗବାଡ଼ି ବଜାରସ୍ଥିତ ଘର, ବାଲିଗୁଡ଼ାର ୨ଟି ସ୍ଥାନ ସମେତ ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଜିଲ୍ଲାର ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ଯାଞ୍ଚ ସମୟରେ ବାଲିଗୁଡ଼ାରେ ୨୨୫୦ ବର୍ଗଫୁଟ ଏବଂ ୧୦୦୦ ବର୍ଗଫୁଟର କୋଠା, ଶ୍ରାନିକେତରେ ୧୬୦୦ ବର୍ଗଫୁଟର କୋଠା, ବ୍ରହ୍ମପୁର ଟେକ୍ନୋ ପାର୍କରେ ୧୬୫୦ ବର୍ଗଫୁଟର କୋଠା ସମେତ ଦାରିଙ୍ଗବାଡ଼ିରେ ଏକ କୋଠାର ସନ୍ଧାନ ମିଳିଛି। ସେହିପରି ୯ଟି ପ୍ଲଟ ମଧ୍ୟରୁ ବାଲିଗୁଡ଼ାରେ ୬ଟି, ଯୋଗିଆପାଲୀରେ ଗୋଟିଏ ଏବଂ ବ୍ରହ୍ମପୁର ନିକଟସ୍ଥ କୋଡ଼ାସିଂରେ ୨ଟି ଠାବ ହୋଇଛି।ଏତଦ୍ ବ୍ୟତୀତ ୨୬୩.୨୨ ଗ୍ରାମ ସୁନା, ୨୭ଲକ୍ଷ ୯୯ ହଜାର ୬୫୯ ଟଙ୍କାର ବ୍ୟାଙ୍କ ଜମା, ଗୋଟିଏ ବାଇକ୍ ସମେତ ପ୍ରାୟ ୯ ଲକ୍ଷ ୪୩ହଜାର ଟଙ୍କାର ଘରକରଣା ଜିନିଷ ଜବତ ହୋଇଛି। ଭିଜିଲାନ୍ସ ତଥ୍ୟ ଅନୁସାରେ ରେଞ୍ଜର୍ ଶ୍ରୀ ସାହୁ ୨୦୦୭ରେ ଫରେଷ୍ଟର୍ ଭାବେ ଚାକିରି ଆରମ୍ଭ କରି ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ତୁମୁଡ଼ିବନ୍ଧ, ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ କୋଟଗଡ଼ ଏବଂ ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ କେ. ନୂଆଗାଁରେ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୧୮ରେ ପଦୋନ୍ନତି ପାଇ ବାଲିଗୁଡ଼ା ଡିଏଫ୍ଓ କାର୍ଯ୍ୟାଳୟରେ ଡେପୁଟି ରେଞ୍ଜର୍ ଭାବେ କାର୍ଯ୍ୟ କରିଥିଲେ। ୨୦୨୩ରେ ରେଞ୍ଜର୍ ଭାବେ ପଦୋନ୍ନତି ପାଇ କାଶୀପୁର ରେଞ୍ଜର୍ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କୋଟି ଟଙ୍କାର ସମ୍ପତ୍ତି ଠାବ ହେବା ପରେ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କୁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖାଯାଇଛି। କନ୍ଧମାଳ, ନୟାଗଡ଼, ଗଞ୍ଜାମ ଜିଲ୍ଲାରୁ ଟିମ୍ ଫେରିବା ପରେ ସମ୍ପତ୍ତିର ସବିଶେଷ ତଥ୍ୟ ଦେବ ଭିଜିଲାନ୍ସ। ଚଢ଼ଉରେ ଭିଜିଲାନ୍ସର ୭ ଡିଏସ୍ପି, ୭ ଇନିସପେକ୍ଟର୍, ୯ ଏଏସ୍ଆଇ ସାମିଲ ହୋଇଥିଲେ। rangerswadhikarswadhikar news Share