ଆଜିଠୁ ମହାକାର୍ତ୍ତିକ ପଞ୍ଚୁକ। ସାରା ମାସ ବ୍ରତରେ ଯେତିକି ପୁଣ୍ୟ ହୋଇନଥାଏ, ୫ ଦିନ ବ୍ରତ ପାଳନରେ ତତୋଧିକ ପୁଣ୍ୟ ହୁଏ ବୋଲି ବିଶ୍ବାସ ରହିଛି। ଏହାକୁ ବକ ପଞ୍ଚମୀ ଓ ଭୀଷ୍ମ ପଞ୍ଚକ ବୋଲି ମଧ୍ୟ କୁହାଯାଏ। ଏଥର ପଞ୍ଚୁକ ୫ ଦିନ ପରିବର୍ତ୍ତେ ଚାରିଦିନ ପଡ଼ୁଛି। କାର୍ତ୍ତିକ ଶୁକ୍ଳ ଦ୍ବାଦଶୀ କ୍ଷୟ ହେଉଥିବାରୁ ଚାରିଦିନ ବେଶ ଅନୁଷ୍ଠିତ ହେବ। ପଞ୍ଚକରେ ସମସ୍ତ ବେଶ ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି। ତେଣୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ବିପୁଳ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଅନୁରୂପ ଦର୍ଶନ ବ୍ୟବସ୍ଥା କରାଯାଇଛି। ପଞ୍ଚକ ପ୍ରଥମ ଦିନ ଅର୍ଥାତ୍ ରବିବାର ଲକ୍ଷ୍ମୀ ନାରାୟଣ ବେଶ, ସୋମବାର ଡାଳିକିଆ ବା ତ୍ରିବିକ୍ରମ ବେଶ, ମଙ୍ଗଳବାର ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ଓ ସୁନାବେଶ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ରବିବାର ଛୁଟିଦିନ ପଡ଼ୁଥିବାରୁ ଭକ୍ତଙ୍କ ବିପୁଳ ସମାଗମ ହେବ। ଭିଡ଼କୁ ଦୃଷ୍ଟିରେ ରଖି ସମୟରେ ଭକ୍ତମାନେ କେବଳ ବାହାରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ। କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରଥମ ଭୋଗ ମଣ୍ଡପ ଶେଷ ହେବା ପରେ ଭକ୍ତମାନେ ଭିତରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ। ସିଂହଦ୍ବାରରେ ପ୍ରବେଶ କରି ଅନ୍ୟ ୩ ଦ୍ବାରରେ ଭକ୍ତମାନେ ପ୍ରସ୍ଥାନ କରିବେ। ସେବକମାନେ ସବୁଦ୍ବାରରେ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ। ମାତ୍ର କୌଣସି ଯାତ୍ରୀ ପଣ୍ଡା ଯାତ୍ରୀ ନେଇ ପ୍ରବେଶ କରିପାରିବେ ନାହିଁ। ଅର୍ଥାତ ଯାତ୍ରୀ ପରିଚର୍ଯ୍ୟା ଉପରେ ରୋକ ଲଗାଯାଇଛି। ସେବାୟତମାନଙ୍କ ସହ ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ କହିଛନ୍ତି। ଭକ୍ତଙ୍କ ସୁରକ୍ଷା ପାଇଁ ତିନି ଦ୍ବାରରେ ମେଗା ଫୋନ ସହ ସିଂହଦ୍ବାରରେ ଡାକବାଜି ଯନ୍ତ୍ର ବ୍ୟବସ୍ଥା ରହିବ। ଶ୍ରୀମନ୍ଦିର ଭିତର ବେଢ଼ାରେ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ରହିବ। ବାଗେଡ଼ିଆ ଧର୍ମଶାଳା ନିକଟରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି। ମନ୍ଦିର ନିକଟରେ ୨ଟି ଆମ୍ବୁଲାନ୍ସ ୨୪ ଘଣ୍ଟା ରହିବେ। ବରିଷ୍ଠ ଓ ଦିବ୍ୟାଙ୍ଗଙ୍କ ପାଇଁ ହ୍ବିଲ୍ ଚେୟାର ବ୍ୟବସ୍ଥା ରହିଛି।
