Odia News Portal

ଆଜିଠାରୁ ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି, ତିନିଦିନ ଧରି ଚାଲିବ

ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି । ଏହି ତିନି ଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ନୀତି ଅନୁଷ୍ଠିତ ହୋଇଥାଏ । ଚତୁର୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି । ଆଜି ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେଇଥାନ୍ତି । ଏହିଦିନ ମାନଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣ କରୁଥିବା ସହ ଆଜି ମହାଦୀପ ମଧ୍ୟ ପ୍ରଜ୍ବଳିତ ହୋଇଥାଏ । ତେଣୁ ଏହାକୁ ଦେବ ଦୀପାବଳି କୁହାଯାଏ ।ସନ୍ଧ୍ୟାଧୂପ ପରେ ପୁଷ୍ପାଳକ ସେବାୟତ ମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ଵେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇଥାନ୍ତି । ଏହି ବେଶରେ ଶ୍ରୀବିଗ୍ରହମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ୧୬ହାତ ,ଶ୍ରୀବଳଭଦ୍ର ୧୪ହାତ ଓ ଦେବୀ ସୁଭଦ୍ରା ୧୨ହାତ ଲମ୍ବ ବିଶିଷ୍ଟ ସୂତା ଶାଢୀ ବା ନାଗପୁରୀ ଶାଢୀ ପରିଧାନ କରିଥାନ୍ତି । ଶ୍ରାଦ୍ଧ ବେଶରେ ଠାକୁରମାନେ ତଡଗୀ, ନଳୀଭୂଜ, ଚନ୍ଦ୍ର, ସୂର୍ଯ୍ୟ, କୁଣ୍ଡଳୀ, ଆଡକାନି, ହରିଡା ମାଳି, କମରପଟି ପ୍ରଭୃତି ସ୍ୱର୍ଣ୍ନ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।