ଜି-୨୦ ବିଦେଶ ମନ୍ତ୍ରୀଙ୍କ ବୈଠକରେ ଆଜି ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ରୁଷ୍-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ତୀବ୍ର ମତଭେଦ ପାଇଁ କୌଣସି ମିଳିତ ବିବୃତି ଜାରି ହୋଇପାରିନି। ଜି-୨୦ ବୈଠକରେ ସମସ୍ତ ସଦସ୍ୟ ରାଷ୍ଟ୍ର ଏବଂ ୧୩ ଅତିଥି ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି ବୋଲି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି। ଆଜିର ବୈଠକରେ ୨୭ ବିଦେଶ ମନ୍ତ୍ରୀ ଯୋଗ ଦେଇଛନ୍ତି। ଭାରତର ଜି-୨୦ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ ବିଦେଶ ମନ୍ତ୍ରୀମାନଙ୍କର ଏକ ବିଶାଳ ବୈଠକ ହୋଇଛି।
ଜି-୨୦ ରାଷ୍ଟ୍ରମାନଙ୍କ ମଧ୍ୟରେ ସହମତିର ଅଭାବ ପ୍ରସଙ୍ଗରେ ମତ ରଖି ଜୟଶଙ୍କର କହିଛନ୍ତି, ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଜି-୨୦ ସଦସ୍ୟ ରାଷ୍ଟ୍ରମାନେ ସହମତି ପ୍ରକାଶ କରିଛନ୍ତି। କିନ୍ତୁ ରୁଷ୍-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ସମସ୍ତ ରାଷ୍ଟ୍ର ମଧ୍ୟରେ ସହମତି ନହେବାରୁ ମିଳିତ ବିବୃତି ଜାରି ହୋଇପାରିନାହିଁ। ଅନ୍ୟପକ୍ଷେ ରୁଷ୍-ୟୁକ୍ରେନ ଯୁଦ୍ଧ ପାଇଁ ଲଗାତାର ଭାବେ ପଶ୍ଚିମ ରାଷ୍ଟ୍ରକୁ ଦାୟୀ କରି ଆସିଥିବା ରୁଷ୍ ଆଜି ଜି-୨୦ ବୈଠକରେ ମଧ୍ୟ ଏହି ସମାନ କଥା କହିଛି। ପଶ୍ଚିମ ରାଷ୍ଟ୍ରମାନେ ୟୁକ୍ରେନ ଯୁଦ୍ଧ ପାଇଁ ଦାୟୀ ବୋଲି ରୁଷ୍ ବିଦେଶ ମନ୍ତ୍ରୀ ସେର୍ଗି ଲାବ୍ରୋଭ କହିଛନ୍ତି।