Odia News Portal

ବ୍ୟବସାୟୀଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ଚେତାବନୀ

-ଚିକିତ୍ସା କ୍ଷେତ୍ରରେ କୌଣସି ଅବହେଳା ହେବ ନାହିଁ – ଜିଲ୍ଲାପାଳ
– ପଞ୍ଚସୂତ୍ରୀ ନିୟମ ନମାନିଲେ ୧୯ ଯାଏଁ ଦୋକାନ ବନ୍ଦ
-ରିପୋର୍ଟ ପଜିଟିଭ ଥିଲେ ବାହାଘରକୁ ମିଳିବନି ଅନୁମତି

ବ୍ରହ୍ମପୁର : କରୋନା ସଂକ୍ରମଣରୁ ଲୋକଙ୍କୁ ବଞ୍ଚାଇବା ଦିଗରେ ଜିଲ୍ଲା ପ୍ରଶାସନ, ପୋଲିସ୍ ପ୍ରଶାସନ, ଡ।କ୍ତରୀ ଦଳ ଅହରହ ପ୍ରୟାସ ଜାରି ରଖିଛନ୍ତି, ତଥାପି କେତେକ ଅମାନିଆ ବ୍ୟକ୍ତି କରୋନାର ଭୟା ବହତା ପ୍ରତି ଖାତିର ନ କରି ପ୍ରଶାସନ ଦ୍ବାରା ଜାରି କରାଯାଇ ଥିବା ନୀତି ନିୟମର ଅନୁପାଳନ କରୁ ନାହାନ୍ତି  । ବିନା ମାସ୍କରେ ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁ ବ୍ୟବସାୟୀଗଣ ପଞ୍ଚସୂତ୍ରୀ ନିୟମ ପାଳନ କରୁ ନାହାନ୍ତି ସେମାନଙ୍କ ଦୋକାନ ୧୯ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯିବ  । ଯେଉଁ ମାନେ ବାହାଘର ସକାଶେ ଅନୁମତି ଗ୍ରହଣ କରୁଛନ୍ତି, ଏଣିକି ବାହାଘରରେ ଯୋଗ ଦେବାକୁ ଥିବା ବ୍ୟକ୍ତିଙ୍କ ତାଲିକା ପ୍ରଦାନ କରିବେ ଏବଂ ବାହାଘର କେଉଁଭଳି କରିବେ ସେ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିବେ । ବାହାଘର ପରିବାର ବର୍ଗଙ୍କର ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ସଂକ୍ରମିତ ହୋଇଥିବା ଜଣା ପଡିଲେ ସେହି ବାହାଘରକୁ ଅନୁମତି ଦିଆଯିବ ନାହିଁ ବୋଲି ଆଜି ଅନୁଷ୍ଠିତ କୋଭିଡ୍ ପରିଚାଳନା ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅବଗତ କରାଇଥିଲେ  ।

     ଭିଡିଓ କନଫରେନ୍ସିଂ ବୈଠକରେ ଜିଲ୍ଲାପାଳ ଜଣାଇ ଥିଲେ ଯେ, ଗତ ଦୁଇତିନି ଦିନ ମଧ୍ୟରେ ସବୁ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରାଯାଇଛି  ।  କୋଭିଡ୍ ପରିଚାଳନା ଦାୟୀତ୍ବରେ ଥିବା ଅଧିକାରୀ, ଚିକିତ୍ସକ କିମ୍ବା କର୍ମଚାରୀ କୌଣସି ଫୋନ୍ କଲକୁ ଅବହେଳା କରନ୍ତୁ ନାହିଁ  । ଫୋନକଲଟି ଗୁରୁତ୍ବ ପୂର୍ଣ୍ଣ ଥିବ। ଏଣୁ ସମସ୍ତ ଫୋନକଲର ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯେମିତି ବି ହେଉ ଲୋକଙ୍କ ଜୀବନ ବଞ୍ଚାଇବାର ଅଛି  । ଏହି ଲକ୍ଷ୍ୟ ନେଇ ସମସ୍ତେ କାର୍ଯ୍ୟ କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ  । ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ଚିକିତ୍ସା ସମ୍ପର୍କିତ ତଥ୍ୟ ପରିବାର ବର୍ଗ ଜାଣିବା ଆବଶ୍ୟକ  । ତେବେ ଯାଇ ପରିବାର ବର୍ଗ ଓ ଚିକିତ୍ସିତ ବ୍ୟକ୍ତିଙ୍କ ମନୋବଳ ସୁଦୃଢ ରହିବ  । ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ସହ ସୁସମ୍ପର୍କ ରଖି ତାଙ୍କ ସହ ଜୁମ୍ ଭିଡିଓ କଲ୍ କିମ୍ବା ଫୋନ୍ କଲ୍ କରି ତାଙ୍କ ବିଷୟରେ ପଚାରି ବୁଝନ୍ତୁ  । ତେବେଯାଇ ତାଙ୍କ ମନୋବଳ ବଢିବ ଓ ସେ ସୁସ୍ଥ ହୋଇପାରିବେ  । ଅତି ଜରୁରୀ ହେଲେ ତାଙ୍କୁ ସ୍ଥାନାନ୍ତର କରି ଉଚ୍ଚ ଚିକିତ୍ସା ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ  । ବ୍ରହ୍ମପୁର ସହର ଓ ଛତ୍ରପୁର ସହରରେ ଆଉ ଅତିରିକ୍ତ ଶହେ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ  । ଆର୍.ଆର୍.ଟି. କାର୍ଯ୍ୟ, ଆମ୍ବୁଲାନ୍ସ, ଟେଷ୍ଟ, ଅକ୍ସିଜେନ୍ ପରିଚାଳନା କିପରି ଚାଲିବ ଏବଂ କିପରି ତ୍ବରାନ୍ବୀତ ହେବ ସେ ବିଷୟରେ ସୁବିସ୍ତୃତ ଆଲୋଚନା ହୋଇଥିଲା  ।

           କରୋନା ଚିକିତ୍ସା ଦିଗରେ ବ୍ୟବହୃତ ହେଉଥିବା ସାମଗ୍ରୀ କଳାବଜାରୀ ଏବଂ ଅଧିକା ଦରରେ ବିକ୍ରି ହେଉଥିବା ପ୍ରଶାସନର ନଜରକୁ ଆସିଛି  । ଏ ଦିଗରେ ଚଢାଉ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି  । ଡାକ୍ତରଙ୍କ ପରାମର୍ଶ ବିନା କେହି ଔଷଧ ସେବନ କରନ୍ତୁ ନାହିଁ  । ଏହା ଜୀବନ ପ୍ରତି ବିପଦ  । ଚିକିତ୍ସିତ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କିୟ ଗଣ ବାରମ୍ବାର ଫୋନ୍ କରି ଚିକିତ୍ସିତ ବ୍ୟକ୍ତିଙ୍କ ସମ୍ପର୍କରେ ପଚାରି ବୁଝୁଛନ୍ତି ଏହିଭଳି କରିବା ଦ୍ବାରା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ଦିଗରେ ବ୍ୟଘାତ ସୃଷ୍ଟି ହେଉଛି  । ଏଣୁ ସିମୀତ କଲ୍ ଏବଂ ସମୟ କୁ ଦେଖି ଫୋନ୍ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ  । ବ୍ଲକ୍ ଅଞ୍ଚଳର ସାମ୍ବାଦିକ ମାନଙ୍କୁ ଅନୁରୋଧ ସେମାନେ ସମ୍ବାଦ ସଂଗ୍ରହ ସମୟରେ ନିଜ ପ୍ରତି ସତର୍କତା ଅବଲମ୍ବନ କରିବାପାଇଁ ଜିଲ୍ଲାପାଳ ଜଣାଇଥିଲେ  ।

              ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ , ଅମୀୟ କୁମାର ସାହୁ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଚ୍ଚିବ ସମ୍ବିତ ରାଉତ୍, ଏମ୍.କେ.ସି.ଜି.ର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ  ନାୟକ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ  ପ୍ରମୁଖ  ଉପସ୍ଥିତ ଥିଲେ  ।