Odia News Portal

ବିଆର୍‌ଏସ୍‌ରେ ସାମିଲ୍ ପରେ ଫେରିଲେ ଟିମ୍ ଗମାଙ୍ଗ

ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ରେ ସାମିଲ ହେବା ପରେ ହାଇଦ୍ରାବାଦରୁ ଫେରିଛନ୍ତି ‘ଟିମ୍ ଗମାଙ୍ଗ’ । ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗାମାଙ୍ଗ କହିଛନ୍ତି ଯେ, ଓଡ଼ିଶାରେ ଲୋକେ ମନ ପରିମର୍ତ୍ତନ କରି ସାରିଲେଣି । ନୂଆ କିଛି ହେବାକୁ ଯାଉଛି । କେବଳ ଅପେକ୍ଷା କରନ୍ତୁ ।’ ଚଳିତ ମାସ ୨୭ ତାରିଖ ଶୁକ୍ରବାରରେ ହାଇଦ୍ରାବାଦ୍‌ରେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ପକ୍ଷରୁ ଏକ ବଡ଼ଧରଣର ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା ।

ବିଆର୍‌ଏସ୍ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କ ଉପସ୍ଥିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ସମେତ ଜଣେ ପୂର୍ବତନ ସାଂସଦଙ୍କ ସହ ୯ ପୂର୍ବତନ ବିଧାୟକ, ବହୁ ଚାଷୀ ନେତା, ସମାଜସେବୀ, ଆଇନଜୀବୀ ମଧ୍ୟ ଦଳରେ ସାମିଲ୍ ଦେଇଥିଲେ । ସେହିନେତାମାନେ ହେଉଛନ୍ତି ପୁର୍ବତନ ସାଂସଦ ଜୟରାମ ପାଙ୍ଗି, ପୂର୍ବତନ ବିଧାୟକ ନବୀନ ନନ୍ଦ, ରାମଚନ୍ଦ୍ର ହାଁସଦା, ବୃନ୍ଦାବନ ମାଝୀ, ରାଘବ ସେଠୀ ଓ ଦେବରାଜ ସେଠ୍ ।

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଚାଷୀ ନେତା ଅକ୍ଷୟ କୁମାର ଓ ଶେଷଦେବ ନନ୍ଦ, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ମଧ୍ୟ ବିଆର୍‌ଏସ୍‌ରେ ସାମିଲ ହୋଇଥିଲେ । କେବଳ ଆଗଧାଡ଼ିର ନେତା ନୁହଁନ୍ତି, ଦକ୍ଷିଣ ଓଡ଼ିଶାର ଦ୍ୱିତୀୟ ଧାଡ଼ିର ବହୁ ନେତା ବି ହାଇଦ୍ରାବାଦରେ ବିଆର୍‌ଏସ୍ ମିଶ୍ରଣ ପର୍ବରେ ଯୋଗଦେଇଥିଲେ । ମିଶ୍ରଣ ପର୍ବ ପରେ ଗଣମାଧ୍ୟମକୁ କେସିଆର୍ କହିଥିଲେ, ଓଡ଼ିଶାରେ ସମସ୍ତ ୧୪୭ ବିଧାନସଭା କ୍ଷେତ୍ରରେ ଦଳ ପ୍ରାର୍ଥୀ ଦେବାକୁ ଖସଡ଼ା ପ୍ରସ୍ତୁତି କରିଛି । ସେଥିପାଇଁ ଓଡ଼ିଶାରେ ଦଳ କେଉଁ କାର୍ଯ୍ୟକ୍ରମ ହାତକୁ ନିଆଯିବ ତାହା ଖୁବଶୀଘ୍ର ସାର୍ବଜନୀନ ହେବ ।’