ମେଲାଣି ନେଉଛନ୍ତି ମା’ ଗଜଲକ୍ଷ୍ମୀ, ଭଷାଣ ଉତ୍ସବରେ ଦେଖିବାକୁ ମିଳିଲା ଅଲୌକିକ ଦୃଶ୍ୟ By Swadhikar News Last updated Oct 14, 2025 ବିଦାୟ ନେଉଛନ୍ତି ମା’ ଗଜଲକ୍ଷ୍ମୀ । ତଳେ ମା’ଙ୍କ ଭଷାଣ ଉତ୍ସବ ଚାଲିଥିବାବେଳେ ଗଛ ଉପରେ ଜଗି ରହିଛି ଏକ ଧଳା ପେଚା । ଏକଥାକୁ ସହଜରେ ବିଶ୍ବାସ କରି ହେଉନଥିଲେ ବି ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ସହରରେ । ଭଲ କରି ଏ ଦୃଶ୍ୟ ଉପରେ ନଜର ପକାନ୍ତୁ । କେମିତି ଏ ଧଳା ପେଚାଟି ମା’ଙ୍କୁ ଚାହିଁ ରହିଛି । ମା’ଙ୍କ ବିଦାୟ ଉତ୍ସବରେ ସମସ୍ତେ ମସଗୁଲ ଥିବାବେଳେ ପେଚାଟି ମା’ଙ୍କୁ ଏମିତି ଚାହିଁ ରହିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଭକ୍ତ । ସତେ ଯେମିତି ଧଳା ପେଚାଟି ବି ମା’ଙ୍କୁ ବିଦାୟ ଦେଉଛି । ୭ ଦିନ ବ୍ୟାପୀ ବିଭିନ୍ନ ମଣ୍ଡପରେ ମା’ ପୂଜା ପାଇବା ପରେ ଦୁଇ ଦିନ ହେଲା ଆରମ୍ଭ ହୋଇଛି ମା’ ଗଜଲକ୍ଷ୍ମୀଙ୍କର ମେଲାଣ ଓ ଭଷାଣ ଉତ୍ସବ । କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରୁ ଗଜଲକ୍ଷ୍ମୀ ଓ ବିଭିନ୍ନ ଦେବାଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ଶୋଭାଯାତ୍ରାରେ ବାହାରି ପୁରୁଣା ମଟର ଷ୍ଟାଣ୍ଡସ୍ଥିତ ମେଲଣ ପଡିଆକୁ ଶୋଭାଯାତ୍ରାରେ ବାହାରିଥିଲେ । ମୋଟ ୬୮ଟି ମଧ୍ୟରୁ ୪୮ ଟି ମେଢ ମେଲଣରେ ଅଂଶଗ୍ରହଣ କରିଛନ୍ତି । ତେବେ ମା’ଙ୍କ ମେଢ ମେଲଣ ପଡିଆରେ ପ୍ରଥମେ ପହଞ୍ଚିବା ପରେ ଏକ ବଡ ଧଳା ପେଚା ରାତି ୧୨ ଟା ପର୍ଯ୍ୟନ୍ତ ଗଛରେ ବସି ମା’ଙ୍କ ଆଡକୁ ଅନାଇ ବସିଥିଲା । ଶ୍ରଦ୍ଧାଳୁମାନେ ପେଚାକୁ ଦେଖି ଭାବବିହ୍ବଳ ହୋଇପଡିଥିଲେ । ସମସ୍ତ ମେଢ ମେଲଣ ପଡିଆରେ ପହଞ୍ଚିବା ପରେ ପୁରୁଣା ବସଷ୍ଟାଣ୍ଡର ମା’ ଥାନପତି କମିଟି ଭୋଗ ଲଗାଇବେ । ପରେ ମେଲଣ ପଡିଆରୁ ମେଢ ଗୁଡିକ ନିର୍ଦ୍ଧାରିତ ସମୟ ରାତି ୧୨ଟା ଭିତରେ ବିସର୍ଜନ ଘାଟରେ ପହଞ୍ଚି ବିସର୍ଜନ ହେବାର ନିୟମ କରିଛି ଜିଲ୍ଲା ପ୍ରଶାସନ । ଏହି ନିୟମରେ ମେଢ ଗୁଡିକ ବିଭିନ୍ନ ବିସର୍ଜନ ଘାଟରେ ବିସର୍ଜନ କରାଯିବ । ଭଷାଣ ଓ ମେଲଣ ଉତ୍ସବ ପରିଚାଳନା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଗଜଲକ୍ଷ୍ମୀ ମେଳଣ ଓ ଭଷାଣ ଉତ୍ସବକୁ ନେଇ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର ଆୟର ପ୍ରତିକ୍ରିୟା ରଖିଛନ୍ତି । ପୂର୍ବରୁ ହୋଇଥିବା ଲଟେରି ବ୍ୟବସ୍ଥା ଅନୁଯାୟୀ ମେଢ ଗୁଡିକ ବିସର୍ଜନ ପାଇଁ ଯିବେ ବୋଲି ଜିଲ୍ଲାପାଳ କହିଛନ୍ତି । ବିସର୍ଜନ ପାଇଁ ସହରର ବିଭିନ୍ନ ସ୍ଥାନରେ ୪ ଗୋଟି ବିସର୍ଜ୍ଜନ ଘାଟ କରାଯାଇଛି । swadhikarswadhikar news Share