Odia News Portal

ରୁଷକୁ ଆଉ ଏକ ଝଟକା,ପ୍ଲେ ଷ୍ଟୋରରୁ ଗୁଗଲ ବ୍ଲକ କଲା ସରକାରୀ ମିଡିଆ ଆପ୍

ୟୁକ୍ରେନ୍ ଉପରେ ଯୁଦ୍ଧ କରିବାର ନିଷ୍ପତ୍ତି ପାଇଁ ରୁଷ ଏବେ ଅଡୁଆରେ। ବହୁ ପାଶ୍ଚାତ୍ୟ ଦେଶ ଆର୍ଥିକ କଟକଣା ଲାଗୁ କରିବା ପରେ ଏବେ ଗୁଗଲ ରୁଷର ମିଡିଆ ଚ୍ୟାନେଲ ଗୁଡିକୁ ବ୍ଲକ କରିଛି। ଏ ସମ୍ପର୍କରେ ଗୁଗୁଲ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ ଗୁଗୁଲ ପ୍ଲେ ଷ୍ଟୋରରୁ ଆରଟି ନ୍ୟୁଜ୍ ଓ ସ୍କୁଟୋନିକ୍‌ ସମ୍ପର୍କିତ ମୋବାଇଲ ଆପ୍‌କୁ ବ୍ଲକ କରିଦେଇଛି। ଏହା ପୂର୍ବରୁ ୟୁଟ୍ୟୁବ୍ ଏହି ଦୁଇ ମିଡିଆ ଆଉଟଲେଟ୍‌ ସମ୍ପର୍କିତ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଦେଇଥିଲା।

ଉଲ୍ଲେଖନୀୟ ଯେ, ବହୁ ଟେକ୍ କମ୍ପାନୀ ରୁଷ ସରକାରୀ ମିଡିଆକୁ ନିଜର ପ୍ଲାଟଫର୍ମରେ ବ୍ୟାନ୍ କରିସାରିଛି। ଗୁଗୁଲ ଭଳି ଆପଲ ମଧ୍ୟ ଆପ୍‌ ଷ୍ଟୋରରୁ ଏଭଳି ଦୁଇଟି ନ୍ୟୁଜ୍ ଆଉଟଲେଟସ୍‌ର ଆପ୍ ରିମୁଭ କରିଦେଇଛି। ୟୁକ୍ରେନକୁ ନେଇ ଭୁଲ ସୂଚନା ଦେବା ଅଭିଯୋଗରେ ଏହି ନ୍ୟୁଜ ଚ୍ୟାନେଲକୁ ବ୍ୟାନ୍ କରିଦିଆଯାଇଛି। ଏହି ମାମଲାରେ ଆରଟିର ଡେପୁଟି ଏଡିଟର ଇନ୍ ଚିଫ୍ ଆନ୍ନା ବେଲକିନା କହିଛନ୍ତି, ଟେକ୍ କମ୍ପାନୀ ଗୁଡିକ ତାଙ୍କର ମିଡିଆ ଆଉଟଲେଟ୍‌କୁ ବିନା କୌଣସି ପ୍ରମାଣରେ ବ୍ୟାନ୍‌ କରିଦେଇଛି। ତେବେ ଏହି ମାମଲାରେ ସ୍ପୁଟୋନିକ୍‌ କୌଣସି ପ୍ରତିକ୍ରିୟା ଦେଇନି। ଉଲ୍ଲେଖନୀୟ ଯେ, ଗୁଗଲ ୟୁରୋପରେ ଏହି ଦୁଇଟି ନ୍ୟୁଜ ସାଇଟ୍‌ର ଆପ୍‌କୁ ପ୍ଲେ ଷ୍ଟୋରରେ ବ୍ଲକ କରିଦେଇଛି।