Odia News Portal

୭୫% କର୍ମଚାରୀରେ ଚାଲିବ ସରକାରୀ ଅଫିସ୍

ଭୁବନେଶ୍ୱର: ଜାନୁଆରୀ ମାସ ପାଇଁ ସରକାରୀ ଅଫିସ୍ ଚାଲିବା ନେଇ ଜିଏ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି‌ ଅନୁସାରେ, ଭୁବନେଶ୍ୱର, କଟକରେ ଥିବା ସବୁ ବିଭାଗୀୟ ଓ ଅଧସ୍ତନ ଅଫିସ ୭୫% କର୍ମଚାରୀଙ୍କୁ ନେଇ ଚାଲିବ । ଏହାସହ ଜରୁରୀ କାର୍ଯ୍ୟରେ ନିୟୋଜିତ ଅଫିସ୍‌ର ସମସ୍ତ କର୍ମଚାରୀ ଅଫିସ୍‌ ଆସିବା ବାଧ୍ୟତାମୂଳକ । ସେହିଭଳି ଏସଆରସି, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ବିଭାଗର ସବୁ ଷ୍ଟାଫ୍‌ ଅଫିସ ଆସିବାକୁ ବିଜ୍ଞପ୍ତିରେ କୁହାଯାଇଛି। ତେବେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଶନିବାର ବନ୍ଦ ରହିବ ।

ଏହାଛଡ଼ା ବିଧାନସଭା ସହ ଯୋଡ଼ି ହୋଇଥିବା ସମସ୍ତ କର୍ମଚାରୀ ସବୁଦିନ ଅଫିସ ଆସିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ତେବେ କୌଣସି ସ୍ଥାନରେ ଭିଡ଼ ନଜମାଇ ଉଦ୍ଦିଷ୍ଟ ନିୟମାବଳୀକୁ ପାଳନ କରିବା ପାଇଁ ଚେତାବନୀ ଦିଆଯାଇଛି । ଏହାଛଡ଼ା ପରସ୍ପରକୁ ଭେଟି ଶୁଭେଚ୍ଛା ଜଣାଇବା ବଦଳରେ ଇଣ୍ଟରନେଟ୍‌ ତଥା ଭର୍ଚୁଢଆଲ୍‌ ମାଧ୍ୟମରେ ଶୁଭେଚ୍ଛା ଜଣାଇବାକୁ କୁହାଯାଇଛି ।ଏହି ବିଜ୍ଞପ୍ତି ଅନୁସାରେ କୁହାଯାଇଛି ଯେ ‘ଜାନୁଆରୀ ପହିଲା ଦିନ ଏକାଠି ଗୋଷ୍ଠୀ ହୋଇ ବୁଲିବା ଏବଂ କୌଣସି ସମାବେଶ କରିବା ବାରଣ ହୋଇଛି । ସରକାରୀ କମର୍ଚାରୀମାନେ ସେମାନଙ୍କ ସହକର୍ମୀ ଓ ଉପରିସ୍ଥ ଅଧିକାରୀଙ୍କୁ ଭେଟି ଶୁଭେଚ୍ଛ ଜଣାଇବା ବଦଳରେ ଭର୍ଚୁଆଲ ମାଧ୍ୟମ ବ୍ୟବହାର କରନ୍ତୁ’ । ତେବେ କିଏ କିଏ ଅଫିସ ଆସିବେ, ସେନେଇ ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟ ହିଁ ନିଷ୍ପତ୍ତି ନେବେ । ଯଦି କୌଣସି କର୍ମଚାରୀ କରୋନା ଆକ୍ରାନ୍ତ ହୁଅନ୍ତି, ଏ କ୍ଷେତ୍ରରେ କୋଭିଡ ପ୍ରୋଟକଲ ଲାଗୁ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।