Odia News Portal

ଅଧ୍ୟାପକମାନଙ୍କୁ ସରକାରଙ୍କ ଚେତାବନୀ, କାର୍ଯ୍ୟରେ ଅବହେଳା କଲେ ଚାକିରିରୁ ବିଦା ହେବେ

ଅଧ୍ୟାପକମାନଙ୍କୁ ସରକାରଙ୍କ ଚେତାବନୀ ।  କାର୍ଯ୍ୟରେ ଅବହେଳା କଲେ ଚାକିରିରୁ ବିଦା ହେବେ ।  ଅପାରଗ ଅଧ୍ୟାପକଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର ।  ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ବଡ଼ ଧରଣର ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ଏକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ।  ଯେଉଁ ଅଧ୍ୟାପକ ବା ପ୍ରଫେସରମାନେ ଶିକ୍ଷାଦାନରେ ଅବହେଳା କରୁଛନ୍ତି କିମ୍ବା ଯେଉଁମାନଙ୍କ କାର୍ଯ୍ୟଦକ୍ଷତା ସନ୍ତୋଷଜନକ ନୁହେଁ, ସେମାନଙ୍କୁ ଚିହ୍ନଟ କରି ସମୟ ପୂର୍ବରୁ ଅବସର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ମହାବିଦ୍ୟାଳୟକୁ ଚିଠି ଲେଖାଯାଇଛି ।  ଏନେଇ ଜାନୁଆରୀ ୩୧ ସୁଦ୍ଧା ରିପୋର୍ଟ ତଲବ କରାଯାଇଛି ।  ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକ ନିର୍ଦ୍ଦେଶନାମା ଅନୁଯାୟୀ, ସମସ୍ତ ଶିକ୍ଷାନୁଷ୍ଠାନକୁ ସେମାନଙ୍କ ଅଧୀନରେ କାର୍ଯ୍ୟରତ ଅଧ୍ୟାପକଙ୍କ ସମ୍ପୂର୍ଣ୍ଣ ରିପୋର୍ଟ ଯାଞ୍ଚ କରିବାକୁ କୁହାଯାଇଛି ।  ଅପାରଗ ଅଧ୍ୟାପକଙ୍କୁ ଚିହ୍ନଟ କରିବା ପାଇଁ କିଛି ମାନଦଣ୍ଡ ସ୍ଥିର କରାଯାଇଛି ।  ଶିକ୍ଷକଙ୍କ ବାର୍ଷିକ ଶିକ୍ଷାଦାନର ମାନ କିପରି ରହିଛି? ସେମାନଙ୍କର ଆଚରଣ ଏବଂ ସାଧୁତା ସନ୍ତୋଷଜନକ କି ନୁହେଁ? ସେମାନେ କଲେଜରେ କେତେ ନିୟମିତ ଏବଂ ପ୍ରଶାସନିକ କାର୍ଯ୍ୟରେ କେତେ ସହଯୋଗ କରନ୍ତି? ଏହା ଉପରେ ରିପୋର୍ଟରେ ଉଲ୍ଲେଖ ରହିବ  ।ଅପାରଗ କିମ୍ବା ଦୁର୍ନୀତିଗ୍ରସ୍ତ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କୁପ୍ରଭାବ ପକାଉଛନ୍ତି ।  ଓଡ଼ିଶା ସର୍ଭିସ୍ ରୁଲ୍ (OSR) ଅନୁଯାୟୀ, ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଯେକୌଣସି ଅପାରଗ କର୍ମଚାରୀଙ୍କୁ ସମୟ ପୂର୍ବରୁ ଅବସର ଦେଇପାରିବେ ।  ତେବେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ହେବ ଓ ଏଥିପାଇଁ ଆବଶ୍ୟକୀ ଦଲିଲ ବା ପ୍ରମାଣ ରହିବା ଆବଶ୍ୟକ ବୋଲି ବିଭାଗ ସ୍ପଷ୍ଟ କରିଛି ।