Odia News Portal

ପବିତ୍ର ଉତ୍କଳ ଦିବସରେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ବର: ଆଜି ପବିତ୍ର ଉତ୍କଳ ଦିବସ । ଓଡିଶା ପାଇଁ ଆଜିର ଦିନ ବେଶ୍ ଅବିସ୍ମରଣୀୟ ।ଆଜିର ଦିନରେ ଭାଷା ଭିତ୍ତିରେ ଆମ ଓଡ଼ିଶାକୁ ମିଳିଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା । ଏପ୍ରିଲ ୧, ୧୯୩୬ ମସିହାରେ ଅସ୍ତିତ୍ବ ପାଇଥିବା ଓଡିଶାର ଏହି ପବିତ୍ର ଦିବସକୁ ମନେ ପକାଇଛନ୍ତି ସମ୍ପୂର୍ଣ୍ଣ ରାଜ୍ୟବାସୀ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପବିତ୍ର ଉତ୍କଳ ଦିବସରେ ଓଡିଶାର ପ୍ରତିଟି ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତି କହିଛନ୍ତି, ଉତ୍କଳ ଦିବସରେ ସମସ୍ତଙ୍କୁ ବିଶେଷ କରି ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ। ମାନବିକତାକୁ ପ୍ରେମ ଏବଂ ଶାନ୍ତିର ଚିରନ୍ତନ ବାର୍ତ୍ତା ଦେଉଥିବା ଏହି ଭୂମିର ଅନନ୍ୟ ସାଂସ୍କୃତିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ, ସ୍ଥାପତ୍ୟ, ହସ୍ତ କଳା ଓ ନୃତ୍ୟ ପାଇଁ ଏ ଦେଶ ଗର୍ବିତ। ଓଡ଼ିଶାର ନିରନ୍ତର ବିକାଶ ପାଇଁ ମୋର ଶୁଭକାମନା ବୋଲି କହିଛନ୍ତି ରାଷ୍ଟ୍ରପତି । ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଶୁଭକାମନା ଜଣାଇବା ସହ କହିଛନ୍ତି, ଓଡ଼ିଶାର ବିଶେଷ ସଂସ୍କୃତିକୁ ମୋର ସମ୍ମାନ । ଦେଶର ପ୍ରଗତି ପାଇଁ ଓଡ଼ିଶାର ଜନସାଧାରଣଙ୍କ ଅବଦାନ ଅତୁଳନୀୟ । ରାଜ୍ୟର ଜନସାଧାରଣଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି ।

ଅନ୍ୟପକ୍ଷେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟର ଅନେକ ବରିଷ୍ଠ ମନ୍ତ୍ରୀ ଓ ବିଧାୟକ ମଧ୍ୟ ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।