Odia News Portal

ଖଣି ପାଇଁ କମୁଛି ଭୂତଳ ଜଳସ୍ତର: ୧୦୦୦ ଫୁଟ ଖୋଳିଲେ ବି ପାଣି ବାହାରୁନି

ବାୟୁ ପ୍ରଦୂଷଣକୁ ନେଇ ଅନୁଗୁଳଜିଲ୍ଲା ସାରା ଦେଶରେ ଦୁର୍ନାମ ମୁଣ୍ଡାଇଛି। ଧୂଳି ଧୂଆଁ ଯୋଗୁଁ ଲୋକମାନେ ଅଣନିଃଶ୍ବାସୀ। ଏବେ ପୁଣି ଆଉ ଏକ ସଂକଟ ଲୋକଙ୍କ ଚିନ୍ତା ବଢ଼ାଇଛି। ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ଖଣି ଅଞ୍ଚଳରେ ଭୂତଳ ଜଳସ୍ତର ଅସ୍ବାଭାବିକ ଭାବେ ହ୍ରାସ ପାଇଚାଲିଛି। ବିଶେଷକରି କଣିହାଁ କୋଇଲା ଖଣି ଅଞ୍ଚଳରେ ଭୂତଳ ଜଳସ୍ତର ଉଦ୍‌ବେଗଜନକ ଭାବେ କମୁଛି। ଖଣି ଆଖପାଖ ଅଞ୍ଚଳରେ ୧୦୦୦ ଫୁଟ ଗଭୀର ବୋରୱେଲ୍‌ ଖୋଳିଲେ ମଧ୍ୟ ପାଣି ବାହାରୁ ନାହିଁ। ଯାହା ଫଳରେ ଲୋକମାନେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶହଶହ ଫୁଟ ଗଭୀର ଖଣି ଭିତରୁ କୋଇଲା ଉତ୍ତୋଳନ କରାଯାଉଛି। ଏଥି ଯୋଗୁଁ ଜଳସ୍ତର ନିମ୍ନଗାମୀ ହେଉଛି। ଏହାର ପ୍ରଭାବରେ ଖୋଲାକୂଅ, ନଳକୂଅ ଓ ପୋଖରୀ ଶୁଖିଲା ପଡ଼ୁଛି। ପାନୀୟ ଜଳ ସମସ୍ୟା ଦୂର ପାଇଁ ଲୋକମାନେ ବ୍ୟକ୍ତିଗତ ଭାବେ ବୋରୱେଲ୍‌ ଖୋଳୁଛନ୍ତି। ହେଲେ ଅଧିକାଂଶ ସ୍ଥାନରେ ୧୦୦୦ ଫୁଟ ଖୋଳିଲେ ବି ପାଣି ବାହାରୁ ନାହିଁ। ଖଣି ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବାସବାସ କରୁଥିବା ଲୋକଙ୍କୁ ଅନ୍ୟ ସ୍ଥାନକୁ ବିସ୍ଥାପିତ କରିବା ନିମନ୍ତେ ଦାବି ହେଉଛି। ହେଲେ ଖଣି କର୍ତ୍ତୃପକ୍ଷ ବିସ୍ଥାପିତ କରୁ ନଥିିବା ଅଭିଯୋଗ ହେଉଛି। ବିଶେଷ କରି କଣିହାଁ କଲେଜରୋଡ୍‌, କଣିହାଁ ଗାଁ, ହରିଜନସାହି ଓ ବ୍ଲକ୍‌ ସଦର ମହକୁମାରେ ବସବାସ କରୁଥିବା ଲୋକମାନେ ପାନୀୟ ଜଳ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭୂତଳ ଜଳସ୍ତର ହ୍ରାସ ଯୋଗୁଁ ବୋରୱେଲ୍‌ ଖୋଳିଲେ ବି ପାଣି ବାହାରୁ ନାହିଁ।ସେହିପରି କୋଇଲା ଖଣି ଅଞ୍ଚଳରେ ବସବାସ କରୁଥିବା କଂସମୁଣ୍ଡା, ଜରଡ଼ା, ଜମାନିଆଁ, ଅଦୈତପ୍ରସାଦ, ଗୁଣ୍ଡୁରିନାଳି, ଗୋଇଲାଣ୍ଡ, ତେଲିସିଂହା, ଛେଳିଆ, ବଡ଼ଗୁଣ୍ଡୁରି, ବଇଣ୍ଡା, ଲୁହାମରା ଆଦି ଗାଁଗୁଡ଼ିକରେ ଜଳସ୍ତର  ହ୍ରାସ ପାଇବାରେ ଲାଗିଛି। କୂଅ, ପୋଖରୀ ଶୁଖିଲା ପଡ଼ିଛି। ଛୋଟ ନଦୀ, ନାଳରେ ପାଣି ସ୍ରୋତ ମଧ୍ୟ ଦେଖିବାକୁ ମିଳୁନାହିଁ। ଖଣି ବିଭାଗ ପକ୍ଷରୁ ଲୋକଙ୍କୁ ଟ୍ୟାଙ୍କର୍‌ ଯୋଗେ ଯୋଗାଇ ଦେଉଥିବା ପାଣି ବି ସମୁଦ୍ରକୁ ଶଙ୍ଖେ। ତେଣୁ ଖଣି କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।