Odia News Portal

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ପରିଦର୍ଶନ କରି ଫେରିଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ପରିଦର୍ଶନ କରି ଫେରିଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା। ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଲୋକ କଲ୍ୟାଣ ମାର୍ଗରେ ଦୁହିଁଙ୍କ ସାକ୍ଷାତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ସହିତ କଥା ହୋଇଥିଲେ। ଶୁଭାଂଶୁ ଶୁକ୍ଲା ଖୋଲାଖୋଲି ଭାବରେ ତାଙ୍କର ଅଭିଜ୍ଞତା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦେଶ ସହିତ  ବାଣ୍ଟିଥିଲେ। ଏହି ସମୟରେ ହଠାତ୍ ତାଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା କାମ ବିଷୟରେ ପଚାରିଥିଲେ। ଶୁଭାଂଶୁ ଶୁକ୍ଳା ମହାକାଶରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ ଏକ ବିଶେଷ ଆଲୋଚନା କରିଥିଲେ। ଏହି ସମୟରେ ସେ ତାଙ୍କୁ କିଛି କାମ ଦେଇଥିଲେ, ଯାହା ବିଷୟରେ ସେ ତାଙ୍କୁ ସୋମବାର ସାକ୍ଷାତ ସମୟରେ ପଚାରି ବୁଝିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଶୁଭାଂଶୁ ଶୁକ୍ଳାଙ୍କୁ ପଚାରିଲେ ଯେ, ମୁଁ ତୁମକୁ କିଛି ହୋମୱାର୍କ ଦେଇଥିଲି, ତାହା କେତେ ବାଟ ଗଲାଣି? ଉତ୍ତରରେ ଶୁଭାଂଶୁ ଶୁକ୍ଳା କହିଥିଲେ ଯେ, ହୋମୱାର୍କ ଉପରେ ବହୁତ ଭଲ କାମ ହୋଇଛି। ଏହି ମିଶନ କେବଳ ଏକ ଆରମ୍ଭ। ଏହି ପ୍ରଥମ ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଏହା ଦେଖିବା ଥିଲା ଯେ, ଆମେ ଭବିଷ୍ୟତ ପାଇଁ କେତେ ତଥ୍ୟ ଆଣିଛୁ। ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଆମର ୪୦-୫୦ ଜଣ ମହାକାଶଚାରୀଙ୍କ ଏକ ଦଳ ରହିବା ଉଚିତ ଯେଉଁମାନେ ସର୍ବଦା ପ୍ରସ୍ତୁତ ରହିବେ। ତେବେ ଏସବୁ ଆଲୋଚନା ପରେ ଶୁଭାଂଶୁ ପ୍ରଧାନମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଉପହାର ଦେଇଥିବା ଦେଖାଯାଇଥିଲା। ଉପହାରରେ ଐତିହାସିକ ଏଏକ୍ସ-୪ ମିଶନ ସମୟରେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ନିଜ ସହ ନେଇଥିବା ଭାରତୀୟ ଜାତୀୟ ପତାକା ଦେଇଥିଲେ।ଉଲ୍ଲେଖଯୋଗ୍ୟ, ଶୁଭାଂଶୁ ଶୁକ୍ଳା ମହାକାଶରେ ଥିବା ବେଳେ ହୋମୱାର୍କ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମକୁ ଗଗନଯାନ ମିଶନକୁ ଆଗକୁ ନେବାକୁ ହେବ। ଆମକୁ ଆମର ନିଜସ୍ୱ ସ୍ପେସ୍ ଷ୍ଟେସନ୍ ନିର୍ମାଣ କରିବାକୁ ହେବ। ଏହା ସହିତ, ଆମକୁ ଚନ୍ଦ୍ରରେ ଭାରତୀୟ ମହାକାଶଚାରୀମାନଙ୍କୁ ମଧ୍ୟ ଅବତରଣ କରିବାକୁ ହେବ। ଏହି ସମସ୍ତ ମିଶନରେ ଆପଣଙ୍କର ଅଭିଜ୍ଞତା ବହୁତ ଉପଯୋଗୀ ହେବ। ମୁଁ ନିଶ୍ଚିତ ଯେ ଆପଣ ସେଠାରେ ଆପଣଙ୍କର ଅଭିଜ୍ଞତା ରେକର୍ଡ କରିବେ।

ତେବେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ପରିଦର୍ଶନ କରିଥିବା ପ୍ରଥମ ଭାରତୀୟ ମହାକାଶଚାରୀ। ସେ ୨୫ ଜୁନ୍ ୨୦୨୫ରେ ଆକ୍ସିଅମ-୪ ମିଶନ ଅଧୀନରେ ମହାକାଶକୁ ଯାଇଥିଲେ। ସେଠାରେ ସେ ୧୮ ଦିନ ପାଇଁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ରହିଥିଲେ ଏବଂ ଜୁଲାଇ ୧୫ରେ ପୃଥିବୀକୁ ଫେରିଥିଲେ।