Odia News Portal

ଆସିଲା ଫେବୃଆରୀ ମାସର ଗାଇଡ ଲାଇନ

କୋଭିଡ ମୁକାବିଲାରେ ଆସିଲା ଫେବ୍ରୁଆରୀ ଗାଇଡଲାଇନ୍ । ସଂକ୍ରମଣ କମୁଛି । କଟକଣା ସାମାନ୍ୟ କୋହଳ କଲେ ସରକାର । କମିଲା ନାଇଟ୍ କର୍ଫ୍ୟୁ ଅବଧି । ଏଣିକି ସବୁ ସହରାଞ୍ଚଳରେ ରାତି ୧୦ଟାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗିବ । ପୂର୍ବରୁ ରାତି ୯ଟାରୁ ସକାଳ ୫ଟା ଯାଏ ଥିଲା ରାତ୍ରିକାଳୀନ କଟକଣା ଥିଲା । ଏଣିକି ମାର୍କେଟ, ମଲ୍, ସିନେମା ହଲ୍, ଥିଏଟର ସବୁ ରାତି ୧୦ଟା ଯାଏ ଖୋଲା ରହିବ । ନାଇଟକର୍ଫ୍ୟୁ ଅବଧି କମାଇବା ପାଇଁ ଦାବି ହୋଇଥିଲା । ଫେବ୍ରୁଆରୀ ଗାଇଡ୍ଲାଇନ୍ ଅନୁସାରେ, ବିନା ଶ୍ରଦ୍ଧାଳୁରେ ପାଳନ ହେବ ସରସ୍ୱତୀ ପୂଜା ।
ଶିକ୍ଷାନୁଷ୍ଠାନରେ ସୀମିତ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ କରୋନା କଟକଣାରେ ସରସ୍ୱତୀ ପୂଜା ପାଳନକୁ ଅନୁମତି ଦିଆଯିବ । ମାଘ ସପ୍ତମୀ ଉପରେ ଲାଗିଛି କଟକଣା । ଜଳାଶୟରେ ଭିଡ଼କୁ ଦୃଷ୍ଟିରେ ରଖି ମାଘ ସପ୍ତମୀ ବୁଡ଼ ମନା । ସବୁ ସରକାରୀ ଅଫିସ କରୋନା କଟକଣା ଭିତରେ ଶତ ପ୍ରତିଶତ କର୍ମଚାରୀରେ ଚାଲିବ । ବିବାହ, ବ୍ରତଘର ଓ ଶୁଦ୍ଧି କ୍ରିୟାରେ ପୂର୍ବଭଳି କଟକଣା ବଳବତ୍ତର ରହିଲା । ବିବାହରେ ସର୍ବାଧିକ ୧୦୦ ଓ ଶୁଦ୍ଧିକ୍ରିୟାରେ ୫୦ ଜଣ ସାମିଲ ହେବେ । ଶିକ୍ଷାନୁଷ୍ଠାନ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି ।
ରାଜ୍ୟରେ ତଳ ମୁହାଁ ହୋଇଛି ଦୈନିକ କରୋନା ସଂକ୍ରମଣ । ୧୦ହଜାରରୁ ୫ ହଜାର, ଆଉ ଏବେ ୩ ହଜାରକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୩୨୯ ଆକ୍ରାନ୍ତ । ସବୁ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ୯ଜିଲ୍ଲାରେ ଶହେ ଉପରେ ରହିଛି ନୂଆ ପଜିଟିଭ୍ । ସଂକ୍ରମଣ ହାର ରହିଛି ୫.୮୭ ପ୍ରତିଶତ । ପଜିଟିଭିଟି ରେଡ୍ ଜୋନରେ ରହିଛି ୫ ଜିଲ୍ଲା ଖୋର୍ଦ୍ଧା, ଦେବଗଡ଼, ସୁନ୍ଦରଗଡ, ନୂଆପଡ଼ା ଓ କଳାହାଣ୍ଡି । ଆକ୍ଟିଭ୍ କେସ୍ ରେଡ୍ ଜୋନରେ କେବଳ ଖୋର୍ଦ୍ଧା, କଟକ ଓ ସୁନ୍ଦରଗଡ଼ ଜିଲ୍ଲା ରହିଛି । ରାଜ୍ୟରେ ସ୍ଥିତିରେ ସୁଧାର ଆସୁଥିଲେ ବି ସତର୍କ ରହିବାକୁ ପଡ଼ିବ । କେତେବେଳେ ବି ବାଉନ୍ସ ବ୍ୟାକ୍ କରିପାରେ କରୋନା । ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୧୮ ଜଣ ସଂକ୍ରମିତଙ୍କର ଜୀବନ ନେଇଛି ମହାମାରୀ । ରାଜ୍ୟରେ ଡେଲ୍ଟା ଏବେ ବି ରହିଛି । ଏଥିପାଇଁ କିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା ସ୍ୱାସ୍ଥ୍ୟ ବିଭାଗ କହିଛି ।