ମହିଳାଙ୍କୁ ଫାୟାରିଂ । ଝାରସୁଗୁଡା ସହରରେ ଫୁଟିଲା ଗୁଳି । ଜଣେ ମହିଳା ଆହତ । ଆହତ ମହିଳାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର । ସରବାହଲ ଅଞ୍ଚଳରେ ରାତି ସାଢ଼େ ୧୦ଟାରେ ଗୁଳିକାଣ୍ଡ ଘଟିଛି । ଘର ବାରଣ୍ଡାରେ ଠିଆ ହୋଇଥିବା ବେଳେ ମହିଳାଙ୍କ ଦେହରେ ଗୁଳି ବାଜିଥିଲା । ବାଇକରେ ଆସି ଜଣେ ବ୍ୟକ୍ତି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ଆହତ ମହିଳାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଝାରସୁଗୁଡା ଟାଉନ ପୋଲିସ ।ସୂଚନାଯୋଗ୍ୟ, ବୌଦ୍ଧ ଜିଲ୍ଲା ବଘିଆପଡ଼ା ଫାଣ୍ଡି ଚାରିଆପାଲି ଗାଁରେ ଘଟିଛି ଏଭଳି ଏକ ସାଂଘାତିକ ଘଟଣା । ବାହାଘର ଭୋଜିରେ ରକ୍ତପାତ । ନିଶା ସେବନ କରି ଶଳାକୁ ଗୁଳି କଲା ଭିଣୋଇ । ଗୁଳିମାଡ଼ରେ ଶାଳକ ମିଥୁନ ମଲ୍ଲିକ ଗୁରୁତର ହୋଇଥିବା ବେଳେ ଅଭିଯୁକ୍ତ ଭିଣୋଇ ଏକାଦଶୀ ମଲ୍ଲିକକୁ ଗ୍ରାମବାସୀ କାବୁ କରିଥିଲେ । ଗାଁରେ ଏକ ବାହାଘର ଭୋଜି ଚାଲିଥିବା ବେଳେ ଭିଣୋଇ ଏକାଦଶୀ ମଲ୍ଲିକ ପ୍ରଚୁର ନିଶା ସେବନ କରିଥିଲା ।କୌଣସି କାରଣକୁ ନେଇ ଶଳା ମିଥୁନଙ୍କ ସହ ତାର ବଚସା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଏକାଦଶୀ ଏକ ଦେଶୀ ବନ୍ଧୁକ ବାହାର କରି ମିଥୁନଙ୍କ ଉପରକୁ ଗୁଳିମାଡ଼ କରିଥିଲା । ଗୁଳିଟି ମିଥୁନଙ୍କ କାନ୍ଧରେ ବାଜିବାରୁ ସେ ରକ୍ତାକ୍ତ ଅବସ୍ଥାରେ ଟଳି ପଡ଼ିଥିଲେ । ତାଙ୍କୁ ତୁରନ୍ତ ବୌଦ୍ଧ ହସ୍ପିଟାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।ଅନ୍ୟପଟେ, ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତ ଭିଣୋଇକୁ କାବୁ କରି ଏକ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ବଘିଆପଡ଼ା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି ।
