Odia News Portal

ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ: ବିଜେଡି

 ବିଧାନସଭାରେ ଗତକାଲି ବିରୋଧୀ ଦଳର ଅନୁପସ୍ଥିତି ମଧ୍ୟରେ ଜଳ ସଂପଦ ବିଭାଗର ଖର୍ଚ୍ଚ ଦାବି ଉପରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ବିଭାଗୀୟ କାର୍ଯ୍ୟ ସମ୍ବନ୍ଧରେ କହିବା ପରିବର୍ତ୍ତେ ବିରୋଧୀ ଦଳକୁ ଆକ୍ରମଣ କରିବା ଦୁର୍ଭାଗ୍ୟଜନକ। ରାଜ୍ୟରେ ଚାଲିଛି ଗୁଜରାଟୀ ଓଡିଆ ଅସ୍ମିତା ସରକାର ବୋଲି ବିଜେଡି କହିଛି। ଆଜି ଶଙ୍ଖ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ, ଓଡିଶାର ବିଜେପି ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ସଂପୂର୍ଣ୍ଣ ବିଫଳତା ଲୁଚାଇବାକୁ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଯେଉଁଭଳି ବିରୋଧୀ ଦଳ ପ୍ରତି ଆକ୍ରାମଣାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି, ତା’ର ତୀବ୍ର ନିନ୍ଦା କରିଛି ବିଜେଡି। ଦଳ ଉପସଭାପତି ସଂଜୟ ଦାସବର୍ମା ଓ ଉପସଭାପତି ତଥା ବିଧାୟକ ଡ. ଅରୁଣ କୁମାର ସାହୁ କହିଛନ୍ତି, ଏସ୍‌ସିବି ଟ୍ରମା କେୟାର ଆଇସିୟୁରେ ହୃଦୟବିଦାରକ ଅଗ୍ନିକାଣ୍ଡର ନୈତିକ ଦାୟିତ୍ୱ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଆବଶ୍ୟକ। ଯୋଗ୍ୟତା ନଥାଇ ଓ ଏନ୍ଏମ୍‌ସି ନିଦେ୍ର୍ଦଶାବଳୀର ବିରୁଦ୍ଧାଚରଣ କରି ନିଯୁକ୍ତି ପାଇଥିବା ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଓ ଅତିରିକ୍ତ ସୁପରିଟେଣ୍ଡେଣ୍ଟକୁ ତୁରନ୍ତ ଗିରଫ କରାଯିବା ଆବଶ୍ୟକ। ଏହି ଘଟଣା ରାଜ୍ୟର ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ଦର୍ଶାଇବା ସହ ଏସ୍ସିବି ମେଡିକାଲ କଲେଜର ସୁନାମକୁ ଭ୍ରୁଲୁଣ୍ଡିତ କରିଛି। ଡ. ସାହୁ କହିଛନ୍ତି, ଜଳ ସଂପଦ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ। ବିଜେପି ସରକାରକୁ ଆସିଲା ବେଳେ ପ୍ରଥମ ବର୍ଷରେ ୨.୨୮ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ରଖିଥିଲେ କିନ୍ତୁ ଲକ୍ଷ୍ୟ ପୂରଣ କରିବା ଦୂରର କଥା ୨୦୨୪-୨୫ରେ ବଜେଟ ଅର୍ଥର କେବଳ ୫୫ ପ୍ରତିଶତ ଏବଂ ଚଳିତ ବର୍ଷ ୩୯ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିଛନ୍ତି। ଟି୍ରପଲ ଇଂଜିନ ସରକାରରେ ମହାନଦୀ ପାଇଁ ବିଜେପି କାନ୍ଦୁଛି କିନ୍ତୁ ମହାନଦୀର ବକ୍ଷ ଶୁଖିଲା ଏବଂ ରାଜ୍ୟବ୍ୟାପୀ ଅବୈଧ ବାଲି ଚୋରା ଚାଲାଣ ହେଉଛି। ମହାନଦୀକୁ ଶୁଖାଇ ନଦୀ ସଂଯୋଗୀକରଣ ପ୍ରଚାର କରୁଛନ୍ତି ସରକାର। ଓଡିଆ ଠିକାଦାର ମାନେ ଆନେ୍ଦାଳନ କରୁଥିଲା ବେଳେ ଅଣଓଡିଆ ଠିକାଦାରମାନେ ସରକାରଙ୍କ ଗେହ୍ଲା ପୁଅ ସାଜିଛନ୍ତି। ରାଜ୍ୟରେ ଏବେ ଗୁଜରାଟୀ ଓଡିଆ ଅସ୍ମିତା ସରକାର ଚାଲିଛି। ସେହିପରି ଶ୍ରୀ ଦାସବର୍ମା କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱରେ ୨୦୧୩-୧୪ରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡିଶା ସ୍ୱତନ୍ତ୍ର କୃଷି ବଜେଟ ଉପସ୍ଥାପନ କରିଥିଲେ। ବିକେନ୍ଦ୍ରୀକୃତ ଧାନ କ୍ରୟ ୨୦୦୨-୦୩ରୁ ଆରମ୍ଭ ହୋଇ ଐତିହାସିକ ପି-ପାସ୍ (ପ୍ୟାଡି ପ୍ରୋକ୍ୟୋରମେଣ୍ଟ ଅଟୋମେସନ ସିଷ୍ଟମ) ବ୍ୟବସ୍ଥା ୨୦୧୨ରେ ପ୍ରବର୍ତ୍ତନ ହୋଇଥିଲା। ଓଡ଼ିଶା ପାଞ୍ଚ ପାଞ୍ଚ ଥର କୃଷି କର୍ମଣ ପୁରସ୍କାର ପାଇ ଦେଶରେ ତୃତୀୟ ସର୍ବାଧିକ ପିଡିଏସ୍ ଚାଉଳ ପ୍ରଦାନକାରୀ ରାଜ୍ୟ ହୋଇଥିଲା। ଏହି ସଫଳତା ଓଡିଶାର ଚାଷୀମାନଙ୍କୁ ସଶକ୍ତ କରିପାରିଥିବା ବେଳେ ବର୍ତ୍ତମାନର ଡବଲ ଇଂଜିନ ସରକାରରେ ଚାଷୀକୂଳ ପ୍ରତାରଣାର ଶୀକାର ହୋଇ ରାଜରାସ୍ତାକୁ ଓହ୍ଲାଉଛନ୍ତି। ଶ୍ରୀ ଦାସବର୍ମା ଆହୁରି ମଧ୍ୟ କହିଛନ୍ତି, ପଞ୍ଜିକରଣଠାରୁ ଆରମ୍ଭ କରି ଧାନ କ୍ରୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ହତାଶ ହେଉଛନ୍ତି ଓଡିଶାର ଚାଷୀକୂଳ। ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ କେବଳ ୭୯ ପ୍ରତିଶତ ଚାଷୀ ଧାନ ବିକ୍ରୟ କରିପାରିଥିଲା ବେଳେ ସମସ୍ତ ବିକି୍ର ଯୋଗ୍ୟ ଅମଳ ହୋଇଥିବା ଧାନର ମାତ୍ର ୩୫ ପ୍ରତିଶତ ଧାନ ସରକାର ସଂଗ୍ରହ କରିପାରିଛନ୍ତି। ପଡୋଶୀ ଛତିଶଗଡ଼ ସରକାର ତାଙ୍କର ଧାର୍ଯ୍ୟ ଲକ୍ଷ୍ୟର ୧୭୬ ପ୍ରତିଶତ ଧାନ ସଂଗ୍ରହ କରିଛନ୍ତି। ଏହା ପ୍ରମାଣ କରୁଛି ସମସ୍ତ ବିକି୍ର ଯୋଗ୍ୟ ବଳକା ଧାନ ସଂଗ୍ରହରେ ବିଜେପି ସରକାର ସଂପୂର୍ଣ୍ଣ ବିଫଳ। ଓଡିଶାର ଚାଷୀମାନଙ୍କ ସହିତ ବିଜୁ ଜନତା ଦଳ ସର୍ବଦା କାନ୍ଧ ମିଳାଇ ଛିଡା ହୋଇଛି ଏବଂ ସେମାନଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଦଳ ରାଜରାସ୍ତାରେ ଲଢେଇ ଜାରି ରଖିବ।