Odia News Portal

ମାର୍ଚ୍ଚ ରୁ ମେ’ ରାଜ୍ୟରେ ଭୀଷଣ ତାତି

ଭୁବନେଶ୍ବର: ଫେବୃଆରୀ ଶେଷ ନହେଉଣୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଭୀଷଣ ତାତି । ମାର୍ଚ୍ଚ ପହିଲା ବେଳକୁ ୪୦ ଡିଗ୍ରୀ ଉପରେ ବିଭିନ୍ନ ସହରର ତାପମାତ୍ରା । ତେବେ lଖାଲି ଓଡ଼ିଶା ନୁହେଁ, ଓଡ଼ିଶା ସୀମାରେ ଥିବା ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ତାତି ଅସହ୍ୟ ହେବ । ଏହ ସହ କୋଙ୍କଣ ଗୋଆ ଓ ଗୁଜରାଟରେ ମଧ୍ୟ ବଢ଼ିବ ତାତି । ପାଣିପାଗ ବିଭାଗ ଅନୁଯାୟୀ; ଉତ୍ତର, ଉତ୍ତର-ପଶ୍ଚିମ ଭାରତରେ ଭୀଷଣ ଖରା ଅନୁଭୂତ ହେବ ।

ଚଳିତ ବର୍ଷ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ସୂର୍ଯ୍ୟଙ୍କ ପ୍ରକୋପ ଓଡ଼ିଶା ଉପରେ ଟିକେ ଅଧିକ ରହିବ। ଏହି ତିନି ମାସରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ । ତେବେ ମିଳିଥିବ‌ା ତଥ୍ୟ ଅନୁଯାୟୀ ଏହି ୩ ମାସରେ ଓଡ଼ିଶାର ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ହାରାହାରି .୬୬ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ । ‌ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ତାପମାତ୍ରାକୁ ନେଇ ଏଭଳି ପୂର୍ବାନୁମାନ କରାଯାଇଛି ।

କେତେକ ଜିଲ୍ଲାରେ ଦିନର ତାପମାତ୍ରାରେ ସାଧାରଣଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଥିବା ଦେଖାଯାଇଛି । ଆଗକୁ ଏହା ଆହୁରି ବଢ଼ିବ ବୋଲି ଆଶଙ୍କା ମଧ୍ୟ ରହିଛି । ବିଶେଷ କରି ଖୋର୍ଦ୍ଧା, କଟକ, ଅନୁଗୋଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ନୟାଗଡ଼ ଜିଲ୍ଲା ପାଇଁ ଏହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରାଯାଇଛି । ଦିନ ବେଳା ଘରୁ ବାହାରକୁ ଯାଉଥିଲେ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଖାଲି ସେତିକି ନୁହେଁ ଜରୁରୀ କାମ ନଥିଲେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ପାଣିପାଗ ବିଭାଗ ପକ୍ଷରୁ ଏବେଠୁ ପରାମର୍ଶ ଦିଆଯାଇଛି ।