Odia News Portal

ରାଜ୍ୟରେ ଘନ କୁହୁଡି ସମ୍ଭାବନା

ଭୁବନେଶ୍ବର: ଶୁକ୍ରବାର କନ୍ଧମାଳ, ଅନୁଗୁଳ, ବୌଦ୍ଧ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ଦେଖାଦେଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବ ସୂଚନା ପ୍ରଦାନ କରା ଯାଇଥିଲା। ତେବେ ଏହି ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) । ଏହା ବାବଦରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ପୌର କମିଶନରମାନଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଗାଡ଼ି ଚଳାଚଳ ସମୟରେ ଦୁର୍ଘଟଣା ଏଡ଼ାଇବାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ପାଣିପାଗ ବିଭାଗର ଅନୁମାନ ଅନୁସାରେ, ୧୬ ତାରିଖ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିବ। ବିଶେଷକରି ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଶୀତ ପ୍ରବାହ ଅଧିକ ଅନୁଭୂତ ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରି କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ରହିଛି । କିନ୍ତୁ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପବନ ବୋହିବ । ଫଳରେ ଉତ୍ତର-ପଶ୍ଚିମ ଓଡ଼ିଶାରେ ଥଣ୍ଡାର ପ୍ରକୋପ ଲାଗି ରହିବ । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝରର କିଛି ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେବ । ଉପକୂଳ ଓଡ଼ିଶାରେ ମଧ୍ୟ ଉତ୍ତର-ପଶ୍ଚିମ ଓଡ଼ିଶା ତୁଳନାରେ ଅଳ୍ପ ଥଣ୍ଡା ଅନୁଭୁତ ହେବ ।