Odia News Portal

ପାଣି ପାଣି ଦିଲ୍ଲୀ, ୪୬ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ବାଦ ଫଟା ବର୍ଷା । ଯୁଆଡେ ଯିବ ସିଆଡେ ପାଣି । ରେଲୱେ ଷ୍ଟେସନ କି ମାର୍କେଟ ସବୁଠି ଭରି ରହିଛି ପାଣି । ଶନିବାର ସକାଳେ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ହୋଇଥିବା ବର୍ଷାର ପରିମାଣ ବିଗତ ୪୬ ବର୍ଷର ରେକର୍ଡ ଭାଙ୍ଗିଛି। ଏହାର ପ୍ରଭାବ କେବଳ ରାସ୍ତାଘାଟରେ ନୁହେଁ ଦିଲ୍ଲୀ ବିମାନବନ୍ଦରରେ ମଧ୍ୟ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଦିଲ୍ଲୀ ବିମାନବନ୍ଦରର ଏଭଳି ଫଟୋ ସାମ୍ନାକୁ ଆସିଛି। ବର୍ଷାର ପରିମାଣ ଅଧିକ ହେବାରୁ ଦିଲ୍ଲୀ ବିମାନବନ୍ଦରରେ ଗୋଳିଆ ପାଣି ପଶିଯାଇଥିଲା, ଯାହାର କିଛି ଫଟୋ ଏବଂ ଭିଡିଓ ଏବେ ସାମ୍ନାକୁ ଆସିଛି।


ଦିଲ୍ଲୀ ବିମାନବନ୍ଦର ଭିତରେ ଗୋଳିଆ ପାଣି ପଶିବା ଦେଖି ବର୍ଷା କେତେ ପରିମାଣରେ ହୋଇଥିବ, ତାହାର ଅନୁମାନ କରାଯାଇପାରୁଛି। ତେବେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବାନୁସାରେ, ବର୍ତ୍ତମାନ ପାଣି ନିଷ୍କାସିତ ହୋଇଛି ଏବଂ ଏବେ ବିମାନବନ୍ଦରରେ ଆଉ ପାଣି ନାହିଁ। ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଏକ ଟୁଇଟ୍ରେ କୁହାଯାଇଛି ଯେ, ‘ହଠାତ୍ ପ୍ରବଳ ବର୍ଷା ହେତୁ ଅଳ୍ପ ସମୟ ପାଇଁ ଦିଲ୍ଲୀ ବିମାନବନ୍ଦର ଭିତରେ ପାଣି ଜମି ରହିଥିଲା। ଆମ ଟିମ ତୁରନ୍ତ ପାଣିକୁ ନିଷ୍କାସିତ କରିଛନ୍ତି।