Odia News Portal

ବାଣୀବିହାରରେ ହଷ୍ଟେଲ୍‌ ରୁମ୍‌ ବିକ୍ରି: ବର୍ଷକୁ ଭଡ଼ା ୫୦ ହଜାର, ଅଣଛାତ୍ରଙ୍କ ଅକ୍ତିଆରରେ ୧୩୦ ହଷ୍ଟେଲ ରୁମ୍‌

ହଷ୍ଟେଲ ରୁମ୍‌ ଭଡ଼ା ବର୍ଷକୁ ୫୦ ହଜାର। ଅର୍ଥାତ୍‌ ମାସକୁ ୪ ହଜାର ଟଙ୍କାରେ ହଷ୍ଟେଲରେ ମିଳିବ ଗୋଟିଏ ରୁମ୍‌। ସେଠାରେ ଖଟିଆ ପଡ଼ିଛି। ମାଗଣା ଲାଇଟ୍‌, ଫ୍ୟାନ୍‌ ବ୍ୟବସ୍ଥା ବି ଅଛି। ରୁମ୍‌ ଭିତରେ ରୋଷେଇ କରି ଖାଇପାରିବେ। ‌ହଷ୍ଟେଲ ବାହାରେ ସୁରକ୍ଷା କର୍ମୀ ଜଗିଛନ୍ତି। ଗାଡ଼ି ସୁରକ୍ଷା ପାଇଁ ସିସିଟିଭି ବି ରହିଛି। ସାଙ୍ଗସାଥୀଙ୍କୁ ଆଣି ମଧ୍ୟ ରୁମ୍‌ରେ ରଖିପାରିବେ। ଯେତେ ବଡ଼ ପାଟିରେ ଚିତ୍କାର କଲେ ମଧ୍ୟ କେହି କିଛି କହିବେ ନାହିଁ। ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରାବାସରେ ଏଭଳି ସୁବିଧା ଉପଲବ୍ଧ ହେଉଛି। ଆଉ ଟିକିଏ ସ୍ପଷ୍ଟ ଭାବେ ବୁଝାଇଲେ ଜଣେ ଛାତ୍ରଙ୍କୁ ହଷ୍ଟେଲ ରୁମ୍‌ ମିଳିଛି। ‌ସିଏ ମାସକୁ ଏକ ହଜାର ଟଙ୍କା ଲେଖାଏ ହିସାବରେ ୧୨ ମାସରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ୧୨ ହଜାର ଟଙ୍କା ଦେଉଛନ୍ତି। ମାତ୍ର ନିଜେ କ୍ୟାମ୍ପସ୍‌ରେ ରହୁନାହାନ୍ତି। ହଷ୍ଟେଲରେ ପାଇଥିବା ରୁମ୍‌କୁ ଅଣଛାତ୍ରଙ୍କୁ ୫୦ ହଜାର ଟଙ୍କାରେ ବିକ୍ରି କରିଦେଉଛନ୍ତି। ଅର୍ଥାତ୍‌ ଗୋଟିଏ ରୁମ୍‌ରୁ ଛାତ୍ର ଜଣକ ୩୮ ହଜାର ଟଙ୍କା ଲାଭ ପାଉଛନ୍ତି।

ଜଣେ କି ଦୁଇଜଣ ଛାତ୍ର ନୁହଁନ୍ତି, ବରଂ ଶତାଧିକ ଛାତ୍ର ହଷ୍ଟେଲ ରୁମ୍‌ ବିକ୍ରି କରିଛନ୍ତି। ନିଜେ କ୍ୟାମ୍ପସ୍‌ ବାହାରେ ରହିବା ସହ ନିଜ ରୁମ୍‌କୁ ଭଡ଼ାରେ ଦେଇଥିବା ସ୍ଥିତି ଅନୁଧ୍ୟାନ ସମୟରେ ଏମିତି ଦେଖିବାକୁ ମିଳିଛି। ଏହିଭଳି ଭାବେ ଏକ ନମ୍ବର ଛାତ୍ରାବାସରେ ୧୯ଟି, ଦୁଇ ନମ୍ବର ଛାତ୍ରବାସରେ ୩୧ଟି ଓ ତିନି ନମ୍ବର ଛାତ୍ରାବାସରେ ପାଖାପାଖି ୮୦ଟି ରୁମ୍‌ ଅଣଛାତ୍ରଙ୍କ କବ୍‌ଜାରେ ରହିଛି। ଚିନ୍ତାର ବିଷୟ ହେଉଛି ଯେ ଶତାଧିକ ରୁମ୍‌ ଅକ୍ତିଆର କରିଥିବା ଅଣଛାତ୍ରଙ୍କ ମଧ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳର କିଛି ଛାତ୍ରନେତା ମଧ୍ୟ ଅଛନ୍ତି। ବିଜେଡି, ବିଜେପି, କଂଗ୍ରେସ ଓ ଏବିଭିପି ସଙ୍ଗଠନର କେତେଜଣ ଛାତ୍ରନେତା ହଷ୍ଟେଲଗୁଡ଼ିକୁ ଦଖଲରେ ରଖିବା ସହ ନିଜର ପରିଆରା ଜାହିର କରୁଛନ୍ତି। କର୍ତ୍ତୃପକ୍ଷ ସେମାନଙ୍କୁ ତଡ଼ିବାକୁ ଏକାଧିକ ଥର ଉଦ୍ୟମ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସଫଳ ହୋଇପାରି ନାହାନ୍ତି।