Odia News Portal

ଆଜି ଭାରତ-ଇଂଲଣ୍ଡ ଲଢେଇ, ଭାରତର ସେମି ଆଶା ଓ ଇଂଲଣ୍ଡର ଜିଇଁବା ଚିନ୍ତା

ସୁପରସଣ୍ଡେରେ ସୁପର ମୁକାବିଲା । ବିଶ୍ୱକପ କ୍ରିକେଟରେ ଆଜି ଭାରତ-ଇଂଲଣ୍ଡ ଲଢେଇ । ବର୍ମିଂହାମରେ ମୁହାଁ ମୁହିଁ ହେବେ ଦିନିକିଆରେ ବିଶ୍ୱର ଏକ ନମ୍ବର ବନାମ ବିଶ୍ୱକପର ପାଞ୍ଚ ନମ୍ବର ଟିମ । ସିରିଜରେ ଅପରାଜୟ ଥିବା ମେନ୍ ଇନ ବ୍ଲ୍ୟର ପଲ୍ଲା ଭାରୀ ରହିଛି । ନ୍ୟୁଜଲାଣ୍ଡ ମ୍ୟାଚ ଛାଡି ଖେଳାଯାଇଥିବା ସମସ୍ତ ମ୍ୟାଚରେ ଟିମ ଇଣ୍ଡିଆ ବାଜି ମାରିଛି । ବର୍ଷା ଯୋଗୁଁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ବାତିଲ ହୋଇଥିଲା । ୬ଟି ମ୍ୟାଚରୁ ଦଳ ୧୧ ପଏଣ୍ଟ ପାଇଛି ।

ମ୍ୟାଚ ଜିତି ସେମିଫାଇନାଲକୁ ଟିକେଟ କାଟିବାକୁ ଚେଷ୍ଟା କରିବ ବିରାଟ ଆଣ୍ଡ କୋ । ତେବେ ମିଡିଲ ଅର୍ଡରରେ ବିଫଳତା ଟିମ ଇଣ୍ଡିଆର ଟେନସନ ବଢାଇଛି । ତେବେ ପୂର୍ବ ଭୁଲକୁ ସୁଧାରିବାକୁ ଦଳ ଚେଷ୍ଟା କରିବ । ସେପଟେ ଇଂଲଣ୍ଡ ପାଇଁ ଆଜିର ମ୍ୟାଚ କର ବା ମର ପରିସ୍ଥିତି । ମ୍ୟାଚ ଜିତିଲେ ସେମିକୁ ଯିବାକୁ ଦଳ ପାଇଁ ସୁଯୋଗ ରହିବ । କାରଣ ସେମିକୁ ଏଣ୍ଟ୍ରି ମାରିବାକୁ ଆୟୋଜକ ଦଳକୁ ଭାରତ ଓ ନ୍ୟୁଜଲାଣ୍ଡ ବିରୋଧରେ ଜିତିବାକୁ ପଡିବ । ଏହି ଦୁଇ ମ୍ୟାଚରୁ ଗୋଟିଏରେ ପରାଜୟ ହେଲେ ଇଂଲଣ୍ଡ ଦଳ ବିଶ୍ୱକପ ଜିତିବା ଆଶା ଆଶାରେ ହିଁ ରହିବ ।

ଏ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ୯୯ଟି ଓ୍ଵାନଡେ ଖେଳାଯାଇଛି । ଭାରତ ୫୩ଟି ମ୍ୟାଚରେ ବିଜୟ ବାନା ଉଡାଇଥିବା ବେଳେ ୪୧ଟି ମ୍ୟାଚରେ ବାଜି ମାରିଛି ବ୍ରିଟିସ ବାହିନୀ । ବିଶ୍ୱକପରେ ଉଭୟ ୭ ଥର ମୁହାଁମୁହିଁ ହୋଇଛନ୍ତି । ଉଭୟ ଦଳ ୩-୩ଟି ମ୍ୟାଚ ଜିତିଥିବା ବେଳେ ଗୋଟିଏ ମ୍ୟାଚ ଟାଏ ରହିଛି ।