Odia News Portal

ରାଷ୍ଟ୍ରପତି ହେଲେ ଶତ୍ରୁ ଦେଶକୁ ଆର୍ଥିକ ସହାୟତା ବନ୍ଦ କରିଦେବି-ନିକି ହାଲେ

୨୦୨୪ରେ ରିପବ୍ଲିକାନ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀହେବେ ବୋଲି ଭାରତୀୟ ବଂଶୋଦ୍ଭବ ମହିଳା ନିକି ହାଲେ ପୂର୍ବରୁ ଘୋଷଣା କରିସାରିଛନ୍ତି। ଏଥିସହିତ ସେ ଏବେ ନ୍ୟୁୟର୍କ ପୋଷ୍ଟରେ ଏକ ନିବନ୍ଧ ଲେଖିଛନ୍ତି ଯାହା ଚର୍ଚ୍ଚା ପରିସରକୁ ଆସିଛି। ନିବନ୍ଧରେ ସେ ଉଲ୍ଲେଖ କରିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ହେଲେ ସେ ଶତ୍ରୁ ଦେଶକୁ ସହାୟତା ଭାବେ ପ୍ରଦାନ କରାଯାଉଥିବା ସବୁ ଅର୍ଥ ବନ୍ଦ କରିଦେବେ। ଆମେରିକାକୁ ଘୃଣା କରୁଥିବା ଦେଶକୁ ସେ ସହାୟତା ବନ୍ଦ କରିବେ ବୋଲି କହିଛନ୍ତି। ସେଥିରେ ଚୀନ, ପାକିସ୍ତାନ ଏବଂ ଅନ୍ୟାନ୍ୟ ଶତ୍ରୁ ଦେଶ ଅଛନ୍ତି। ଖରାପ ଦେଶଗୁଡ଼ିକୁ ଆମେରିକା ସହାୟତା ଦେବା ଉଚିତ ନୁହେଁ ବୋଲି ସେ ମତ ଦେଇଛନ୍ତି। ଆମ ଲୋକଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ଆମେରିକା ସରକାର ନଷ୍ଟ କରିବା ଉଚିତ ନୁହେଁ ବୋଲି ଦକ୍ଷିଣ କେରୋଲିନାର ପୂର୍ବତନ ରାଜ୍ୟପାଳ ତଥା ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିବା ହାଲି ଲେଖିଛନ୍ତି।

 ହାଲେଙ୍କ କହିବାନୁଯାୟୀ ଆମେରିକା ଗତବର୍ଷ ବିଦେଶୀ ସହାୟତା ଆକାରରେ ୪୬ ବିଲିଅନ ଡଲାର ଖର୍ଚ୍ଚ କରିଛି। ତେଣୁ ଏହି ଅର୍ଥ କୁ‌ଆଡ଼େ ଯାଉଛି ଏବଂ କିଭଳି ଖର୍ଚ୍ଚ ହେଉଛି ତାହା ଜାଣିବାର ଅଧିକାର ଟିକସଦାତାଙ୍କର ରହିଛି। ଆମେରିକା ବିରୋଧୀ ଦେଶ ଏବଂ ଆମେରିକା ବିରୋଧୀ କାରଣ ପାଇଁ ଉକ୍ତ ଅର୍ଥ ଖର୍ଚ୍ଚ ହୋଇଥିବା ଯଦି ଏମାନେ ଜାଣନ୍ତି ତା’ହେଲେ ଚକିତ ହେବେ। ହ୍ବାଇଟ ହାଉସ ପାଇଁ ନିକି ଚଳିତମାସ ୧୫ ତାରିଖରେ ପ୍ରଚାର ଆନୁଷ୍ଠାନିକ ଭାବେ ଆରମ୍ଭ କରିସାରିଛନ୍ତି।