Odia News Portal

ଗହୀରମଥା ନିଷେଦ୍ଧାଞ୍ଚଳରେ ବେଆଇନ ପ୍ରବେଶ, ୪ ମାସରେ ୪୦୦ ମତ୍ସ୍ୟଜୀବୀଙ୍କୁ କୋର୍ଟ ଚାଲାଣ

ଆଉ ଦିନ କେଇଟା ପରେ ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ । କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟସ୍ଥ ଗହୀରମଥାରେ ଅଣ୍ଡାଦାନ କରିବେ ଅଲିଭ ରିଡଲେ । କଇଁଛଙ୍କ ସୁରକ୍ଷା ପାଇଁ ଗହୀରମଥାରେ ନଭେମ୍ବର ମାସରୁ ମାଛ ଧରା ଉପରେ କଟକଣା କରାଯାଇଛି । ମାତ୍ର କଟକଣାକୁ ବେଖାତିର କରି ବେଆଇନ ଭାବରେ ନିଷେଦ୍ଧାଞ୍ଚଳରେ ପଶି ମାଛ ମତ୍ସ୍ୟଜୀବୀମାନେ ମାରୁଛନ୍ତି । ଯାହା କଇଁଛମାନଙ୍କୁ କ୍ଷତି ପହଞ୍ଚାଉଛି । ଗତ ୪ ମାସ ମଧ୍ୟରେ ବେଆଇନ ଭାବେ ମାଛ ମାରୁଥିବା ୪୦୦ରୁ ଅଧିକ ମତ୍ସ୍ୟଜୀବୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ୪୦ ଲକ୍ଷ ରାଜସ୍ୱ ଆକାରରେ ସରକାରଙ୍କୁ ଦିଆଯାଇଛି ।

ଆରମ୍ଭ ହେବ କଇଁଛଙ୍କ ଗଣ ଅଣ୍ଡାଦାନ:

ଡାଙ୍ଗମାଳ ଫରେଷ୍ଟ ରେଞ୍ଜର ମାନସ ରଞ୍ଜନ ଦାଶଙ୍କ କହିବା ଅନୁସାରେ, ଆଗାମୀ ୧୦-୧୨ ଦିନ ମଧ୍ୟରେ ଅଲିଭ ରିଡଲେ କଇଁଛମାନଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବା ନେଇ ଆଶା କରାଯାଉଛି । କାରଣ ସ୍ଫୋରାଟିକ ନେଷ୍ଟିଂ ବା ବିକ୍ଷିପ୍ତ ଅଣ୍ଡାଦାନ ଗୋଟିଏ ମାସ ହେବ ଆରମ୍ଭ ହୋଇଗଲାଣି । ଦକ୍ଷିଣା ପବନ ଆରମ୍ଭ ହେଲେ ସମୂହ ଅଣ୍ଡାଦାନ ଆରମ୍ଭ ହୋଇଯିବ । ସମୁଦ୍ର କୂଳକୁ ବର୍ତ୍ତମାନ କଇଁଛମାନେ ଆସିବା ଆରମ୍ଭ କରିଛନ୍ତି ।

୪ ମାସରେ ୪୦୦ରୁ ଅଧିକ ମତ୍ସ୍ୟଜୀବୀ ଗିରଫ:

ମାନସ ରଞ୍ଜନ ଦାଶ କହିଛନ୍ତି, “ବର୍ଷସାରା ଗହୀରମଥା ଅଭୟାରଣ୍ୟରେ ମାଛମରା ବନ୍ଦ ରହିଥାଏ । ଧାମରା ନଦୀ ମୁହାଣରୁ ମହାନଦୀ ମୁହାଣ ପର୍ଯ୍ୟନ୍ତ ୭୦ କିଲୋମିଟର ଓ ସମୁଦ୍ରକୂଳ ଠାରୁ ଭିତରକୁ ୨୦ କିଲୋମିଟର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ରହିଛି । ମାତ୍ର ମାଛ ଲୋଭରେ ଟ୍ରଲରମାନେ ନିଷିଦ୍ଧାଞ୍ଚଳ ଭିତରେ ପଶୁଛନ୍ତି । ସେଗୁଡିକୁ ଜବତ କରାଯାଉଛି । ନଭେମ୍ବର ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪୧ଟି ମାଛ ଧରା ଟ୍ରଲର ଜବତ କରାଯାଇଛି । ବେଆଇନ ଭାବେ ମାଛ ମାରୁଥିବା ପାଖାପାଖି ୪୦୦ ଜଣ ମତ୍ସ୍ୟଜୀବୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ରାଜସ୍ୱ ଆକାରରେ ସରକାରଙ୍କୁ ଅପ୍‌ସନ ପ୍ରାଇସ ୪୦ ଲକ୍ଷ ଟଙ୍କା ଦିଆଯାଇଛି । କାର୍ଯ୍ୟାନୁଷ୍ଠାନ ନିୟମିତ ଭାବେ ଚାଲିଛି ।”