କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଲାଇସେନ୍ସ ଅବଧି ଶେଷ ହେବା ପରେ ମଧ୍ୟ କିଛି ଲୋକ ବର୍ଷବର୍ଷ ଧରି ପାଖରେ ବନ୍ଧୁକ ରଖିଥିଲେ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୩୩ ଜଣ ପୂର୍ବ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ତାଲିକା ସଂଲଗ୍ନ କରି ବନ୍ଧୁକ ଫେରାଇବା କିମ୍ବା ଲାଇସେନ୍ସ ନବୀକରଣ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପୋଲିସ ବିଭାଗ ତତ୍ପର ହୋଇଛି ।କେନ୍ଦ୍ରାପଡା ଜିଲ୍ଲାରେ ମୋଟ ୨୭୬ ଜଣଙ୍କ ପାଖରେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଥିବାବେଳେ ସେଥି ମଧ୍ୟରୁ ୧୭୫ଟି ବନ୍ଧୁକର ଲାଇସେନ୍ସ ଜୁଲାଇ ୨୦୨୫ରୁ ଅବଧି ଶେଷ ହୋଇଯାଇଛି । ତଥାପି ଏହି ବନ୍ଧୁକଗୁଡ଼ିକର ଲାଇସେନ୍ସ ନବୀକରଣ କରାଯାଇନାହିଁ କିମ୍ବା ପ୍ରଶାସନ ପାଖରେ ଜମା ଦିଆଯାଇନାହିଁ । ସେତେବେଳେ କେନ୍ଦ୍ରାପଡା ଜିଲ୍ଲାପାଳ ଏହି ଲାଇସେନ୍ସ ପ୍ରାପ୍ତ ବନ୍ଧୁକଗୁଡିକ ସମ୍ପର୍କରେ ତଦନ୍ତ କରାଯାଇ ବିଧିବଦ୍ଧ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡାରେ ଥିବା ୧୬ଟି ଥାନା ମଧ୍ୟରୁ ୧୧ଟି ଥାନା ଅଧିନରେ ମୋଟ ୧୩୩ଟି ଅବୈଧ ବନ୍ଧୁକ (Invalid Gun License) ରହିଥିବା ନେଇ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମିଳିଛି । ଏହା ମଧ୍ୟରୁ କେନ୍ଦ୍ରାପଡା ଟାଉନ ଥାନା ଅଧିନରେ ସର୍ବାଧିକ ଅବୈଧ ଲାଇସେନ୍ସଧାରୀ ବନ୍ଧୁକ ମାଲିକ ରହିଛନ୍ତି । ଯେଉଁମାନଙ୍କ ବନ୍ଧୁକ ଲାଇସେନ୍ସର ଅବଧି ଦୀର୍ଘ ବର୍ଷ ଧରି ଶେଷ ହୋଇଛି ।
