ଜଳବାୟୁ ପରିବର୍ତ୍ତନର ପ୍ରଭାବ: ଆରମ୍ଭ ହୋଇନାହିଁ ଗଣଅଣ୍ଡାଦାନ, ଅଲିଭ୍ରିଡ୍ଲେଙ୍କ ବିକ୍ଷିପ୍ତ ଅଣ୍ଡାଦାନରୁ ବାହାରିଲେଣି ଛୁଆ
ମାର୍ଚ୍ଚ ମାସ ସରିବାକୁ ବସିଛି। ହେଲେ, କେନ୍ଦ୍ରାପଡ଼ାଜିଲ୍ଲା ରାଜନଗର ବ୍ଲକ୍ର ଗହୀରମଥାରେ ଏଯାଏଁ ଅଲିଭ୍ରିଡ୍ଲେ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇ ନାହାନ୍ତି। କୂଳରୁ ୫୦୦ ମିଟର ମଧ୍ୟରେ ଲକ୍ଷାଧିକ କଇଁଛ ମାସେ ହେଲା ଠୁଳ ହୋଇଥିଲେ ମଧ୍ୟ ଅଣ୍ଡା ଦେବା ପାଇଁ ବାଲୁକାଶଯ୍ୟା ଉପରକୁ ଆସୁ ନାହାନ୍ତି। ଇତିମଧ୍ୟରେ ଋଷିକୁଲ୍ୟାରେ କଇଁଛଙ୍କ ଗଣଅଣ୍ଡାଦାନ ହୋଇସାରିଥିଲା ବେଳେ ଗହୀରମଥାରେ ଏହି ପ୍ରକ୍ରିୟା ନ ହେବା ପରିବେଶବିତ୍ଙ୍କୁ ବ୍ୟଥିତ କରିଛି। ଜଳବାୟୁ ପରିବର୍ତ୍ତନ ଏହା ପଛରେ ମୁଖ୍ୟ କାରଣ ବୋଲି କୁହାଯାଉଛି। ଅନ୍ୟପଟେ, ଚଳିତବର୍ଷ ସବୁଠୁ ଅଧିକ କଇଁଛ ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରିଛନ୍ତି। ଅସ୍ଥାୟୀ ହାଚେରିକୁ ନିଆଯାଇଥିବା ଏହି ଅଣ୍ଡାରୁ ଛୁଆ ବାହାରି ସମୁଦ୍ରକୁ ଯିବା ଆରମ୍ଭ କରିଛନ୍ତି। ଗତ ଏକମାସ ଭିତରେ ନାସୀ-୧, ନାସୀ-୨, ମାଦଳୀ, ସାତଭାୟା, ହବାଳିଖଟି, ଚିଞ୍ଚିରି ଓ ଦୋବନ୍ଧିରେ ୩୫୦ରୁ ଅଧିକ କଇଁଛ ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରିଥିଲେ। ବିକ୍ଷିପ୍ତ ଅଣ୍ଡାଦାନରେ ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ବିକ୍ଷିପ୍ତ ଭାବେ ଅଲିଭ୍ରିଡ୍ଲେ ଦେଇଥିବା ଅଣ୍ଡା ସଂଗ୍ରହ କରି ହାଚେରିରେ ରଖାଯାଇଥିଲା। ସେଥିରୁ ଗତ ୨୩ ତାରିଖରୁ ଛୁଆ ବାହାରିବା ଆରମ୍ଭ ହୋଇଛି। ବାବୁବାଲିର ଗୋଟିଏ ବସାରୁ ୩୫ଟି, ଅନ୍ୟ ଏକ ବସାରୁ ୧୧୫ଟି ଏବଂ ଏକକୂଳାର ଗୋଟିଏ ବସାରୁ ୧୩୦କଇଁଛ ଶାବକ ବାହାରିଛନ୍ତି। ସମସ୍ତ ଶାବକଙ୍କୁ ସୁରକ୍ଷିତ ଭାବେ ସମୁଦ୍ରରେ ଛାଡ଼ି ଦିଆଯାଇଛି।
