Odia News Portal

ବାତ୍ୟା ମୋନ୍ଥାର ପ୍ରଭାବ: ଗଜପତି ଜିଲ୍ଲାରେ ବର୍ଷା ଜାରି

ବାତ୍ୟା ମୋନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ଆଜି ସକାଳୁ ଅନ୍ଧକାର ମେଘୁଆ ଆକାଶ ,ହାଲକା ଶୀତଳ ପବନ ସାଙ୍ଗକୁ ଆରମ୍ଭ ହୋଇଛି ଝିପିଝିପି ବର୍ଷା। ଆକାଶ ସମ୍ପୂର୍ଣ୍ଣ ମେଘାଚ୍ଛନ୍ନ ରହିଥିବା ବେଳେ ରାତିରେ ମଧ୍ୟ ସାମାନ୍ୟ ବିକ୍ଷିପ୍ତ ଭାବରେ ଝିପିଝିପି ବର୍ଷା ହୋଇଥିଲା। ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ସହ ବର୍ଷା ସମୟରେ ଘରୁ ବାହାରକୁ ନ ବାହାରିବା ପାଇଁ ଅନୁରୋଧ କରିଛି ପ୍ରଶାସନ। ଆଜି ଠାରୁ ତିନି ଦିନ ଧରି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ଆଗକୁ ପାଗରେ ଅଧିକ ପରିବର୍ତ୍ତନ ହେବା ସହ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଜିଲ୍ଲାର ସମସ୍ତ ଅଞ୍ଚଳରେ ବିକ୍ଷିପ୍ତ ଭାବରେ ଝିପିଝିପି ବର୍ଷା ଜାରି ରହିଛି। ତେଣୁ ପାଗକୁ ଦେଖି ପାହାଡିଆ ଅଞ୍ଚଳବାସୀଙ୍କ ମନରେ ଛନକା ପଶିଛି।ବାତ୍ୟା ମୋନ୍ଥାକୁ ନେଇ ସବୁଆଡେ ଚର୍ଚ୍ଚା, ମୁକାବିଲା ପାଇଁ ସବୁଠି ଚାଲିଛି ପ୍ରସ୍ତୁତି କିନ୍ତୁ  ବାତ୍ୟା କେଉଁଠି ସ୍ଥଳ ଭାଗ ଛୁଇଁବ, ତାର ଗତିପଥ କଣ ରହିବ , କେଉଁ ଅଞ୍ଚଳରେ କେତେ ପ୍ରଭାବ ପକାଇବା ତାହାର କେବଳ ଆକଳନ କରାଯାଉଛି ,  କିନ୍ତୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ଏଯାବତ ଆସିନାହିଁ। ବାତ୍ୟା ମୋନ୍ଥା ଆନ୍ଧ୍ରପ୍ରଦେଶ ହେଉ ଅବା ଓଡିଶା ଯେଉଁଠି ବି ସ୍ଥଳ ଭାଗ ଛୁଇଁଲେ ବି ମୋନ୍ଥାର ପ୍ରଭାବରେ ବର୍ଷା ହେବା ସୁନିଶ୍ଚିତ । ଯାହାକୁ ନେଇ ଚିନ୍ତାରେ ଚାଷୀକୁଳ , ସତେ ଯେମିତି ଚାଷୀ ମୁଣ୍ଡରେ ଚଡକ ପଡିଛି । ଚଳିତ ବର୍ଷ ଖରିଫ ଋତୁରେ ଧାନ ଫସଲ ଏବେ କେଉଁଠି ଧାନ ପାଚି ଆସିଲାଣି ତ ଆଉ କେଉଁଠି କେଣ୍ଡା ଧରିବା ଆରମ୍ଭ କରିଛି । ଠିକ ଏହିପରି ସମୟରେ ବାତ୍ୟାର ପ୍ରଭାବରେ ବର୍ଷାର  ଆକଳନ ଅମଳ ପୂର୍ବରୁ ଫସଲ ବହୁ କ୍ଷତି ଘଟାଇବା ଆଶଙ୍କା ଉପୁଜୁଛି ।ପୁଣି ପାଣିପାଗ ବିଭାଗର ଆକଳନ ଅନୁସାରେ ବର୍ଷା ସାଙ୍ଗକୁ ଯଦି ପବନର ବେଗ ଅଧିକ ରହେ ତାହାହେଲେ ଧାନ ଗଛ ସବୁ ଜମିରେ ଲେଉଟି ପଡି ନଷ୍ଟ ହେବ । ଧାନ ଫସଲ ସାଙ୍ଗକୁ ଜିଲ୍ଲାରେ ହେଉଥିବା ଅର୍ଥକାରୀ ଫସଲ ଓ ପରିବା ଚାଷ ମଧ୍ୟ  କ୍ଷତିଗ୍ରସ୍ତ ହେବ।  ଅତ୍ୟଧିକ ବର୍ଷା ହେଲେ ସମୟ ଅନୁସାରେ ଜଳ ନିଷ୍କାସନ ନହୋଇପାରି ଜମିରେ ଥାଇ ପଚିଯିବ। ତେବେ ଚାଷୀକୁଳ ଏବେ କରିବେ ବା କଣ ? ତାକୁ ନେଇ ଚିନ୍ତାରେ ଭାଗ୍ୟକୁ ଆଦରି ଅପେକ୍ଷା କରି ରହଛନ୍ତି । ମନେ ମନେ ଭଗବାନଙ୍କୁ ସ୍ମରଣ କରୁଛନ୍ତି ବିପଦ ଟଳିବ କିପରି । ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଉଥିବା ବେଳେ ପରବର୍ତୀ ସମୟରେ ଆଉ ଅଣ୍ଟା ସଳଖି ପାରୁନଥିବାର ନଜର ରହିଛି। ପୂର୍ବ ବର୍ଷାଜନିତ କ୍ଷୟକ୍ଷତିର ଏଯାଏଁ ଭରଣା ହୋଇନି। ସରକାରଙ୍କ ସହାୟତା ଯାହାବି ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ, ଏବେ ପୁଣି ଥରେ ଡରାଉଛି ବାତ୍ୟା। ଏଭଳି ସ୍ଥିତିରେ ଅନ୍ୟକିଛି ବାଟ ନପାଇ ଭାଗ୍ୟକୁ ଆଦରି ଚୁପ ରହିଛି ଚାଷୀ।