ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ସରକାରୀ ଡାକ୍ତରଖାନା ସମେତ ଜିଲ୍ଲାର ବିଭିନ୍ନ ସିଏଚ୍ସି/ପିଏଚ୍ସିରେ ଡାକ୍ତରଙ୍କ ଅଭାବ ଦେଖିବାକୁ ମିଳିଛି। By Swadhikar News Last updated Mar 10, 2026 ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ପ୍ରହସନ ପାଲଟିଛି। ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ସମେତ ଜିଲ୍ଲାର ବିଭିନ୍ନ ସିଏଚ୍ସି/ପିଏଚ୍ସିରେ ଡାକ୍ତରଙ୍କ ଅଭାବ ଦେଖିବାକୁ ମିଳିଛି। ଜିଲ୍ଲାବାସୀ ଉନ୍ନତମାନର ସ୍ବାସ୍ଥ୍ୟସେବା ପାଇବା ତ ଦୂର କଥା, ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ସେବା ପାଇବାରୁ ବଞ୍ଚିତ। ଜିଲ୍ଲାରେ ଥିବା ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ମୋଟ୍ ଅନୁମୋଦିତ ଡାକ୍ତରୀ ପଦବି ହେଉଛି ୮୭୪। ତେବେ ଏଥିମଧ୍ୟରୁ ୪୨୨ ଜଣ (୪୮%) ଡାକ୍ତର କାର୍ଯ୍ୟରତ ଥିବାବେଳେ ୪୫୨ (୫୨%)ଟି ପଦବି ଖାଲିପଡ଼ିଛି।ରାଉରକେଲା ସରକାରୀ ଡାକ୍ତରଖାନା ପାଇଁ ୧୫୦ ଜଣ ଡାକ୍ତର ପଦବି ଅନୁମୋଦିତ ହୋଇଛି। ଏଥିରୁ କେବଳ ୯୮ (୬୫%) ଜଣ ଡାକ୍ତର ଥିବାବେଳେ ୫୨ଟି (୩୫%) ପଦବି ଖାଲିପଡ଼ିଛି। ବର୍ତ୍ତମାନ କାର୍ଯ୍ୟରତ ମୋଟ୍ ଡାକ୍ତରଙ୍କ ସଂଖ୍ୟା ମଧ୍ୟରୁ ୮୩ ଜଣ ସ୍ଥାୟୀ, ୨ ଜଣ ଚୁକ୍ତିଭିତ୍ତିକ, ୧୩ ଜଣ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠିରୁ ନିୟୋଜିତ ହୋଇଛନ୍ତି। ସେହିଭଳି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟାଳୟ ସମେତ ବିଭିନ୍ନ ବ୍ଲକରେ ଥିବା ସିଏଚ୍ସି/ପିଏଚ୍ସିରେ ମୋଟ୍ ୭୨୪ ଜଣ ଡାକ୍ତର ନିଯୁକ୍ତ ହେବା କଥା। କିନ୍ତୁ ମାତ୍ର ୩୨୪ ଜଣ (୪୫%) କାର୍ଯ୍ୟରତ ଥିବାବେଳେ ୪୦୦ (୫୫%) ଟି ପଦବି ଦୀର୍ଘଦିନ ହେଲା ଖାଲି ପଡ଼ିଛି। ଅପରପକ୍ଷରେ, ଏସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ଯେଉଁ ଡାକ୍ତର ଅଛନ୍ତି, ସେଥିମଧ୍ୟରୁ ୩୦ ପ୍ରତିଶତ ହେଉଛନ୍ତି ଚୁକ୍ତିଭିତ୍ତିକ। ଜିଲ୍ଲାର ବିଭିନ୍ନ ହସ୍ପିଟାଲ (ଆର୍ଜିଏଚ୍ ବ୍ୟତିତ)ରେ କାର୍ଯ୍ୟରତ ମୋଟ୍ ୨୫୦ ଜଣ ଡାକ୍ତରଙ୍କ ମଧ୍ୟରୁ ଜଣେ ଆଡ୍ହକ୍ରେ ଥିବାବେଳେ ୫୮ ଜଣ ଠିକା ଡାକ୍ତର ଓ ଡିଏମ୍ଏଫ୍ ପାଣ୍ଠିରୁ ୩୦ ଜଣ ଡାକ୍ତର ନିଯୁକ୍ତ ହୋଇଛନ୍ତି। ବାସ୍ତବରେ ତୃଣମୂଳସ୍ତରରେ ପରିସ୍ଥିତି ଆହୁରି ଭୟଙ୍କର। ବିଭିନ୍ନ ସିଏଚ୍ସିରେ ପ୍ରାୟ ୬୬ ବିଶେଷଜ୍ଞ ଡାକ୍ତର ପଦବି ଖାଲି ପଡ଼ିଛି। ଫଳରେ ରୋଗୀ ଶିଶୁ ରୋଗ, ସ୍ତ୍ରୀ ରୋଗ କିମ୍ବା ଅସ୍ତ୍ରୋପଚାର ପାଇଁ ବିଶେଷଜ୍ଞ ଚିକିତ୍ସା ପାଇବା ଅସମ୍ଭବ ହୋଇପଡ଼ିଛି। ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସପିଟାଲରେ ଡାକ୍ତର, ପାରାମେଡିକାଲ ଷ୍ଟାଫ୍ ଅଭାବ, ଉନ୍ନତ ଭିତ୍ତିଭୂମିକୁ ଏକପ୍ରକାର ସ୍ଥାଣୁ କରିଦେଇଛି। ଯଦିଓ ହସ୍ପିଟାଲରେ ବିଭାଗ ଅନୁଯାୟୀ ଆଇସିୟୁ ବ୍ୟବସ୍ଥା ଅଛି, କିନ୍ତୁ ତାଲିମପ୍ରାପ୍ତ ବିଶେଷଜ୍ଞ, ପାରାମେଡିକାଲ୍ କର୍ମଚାରୀ ନଥିବାରୁ କାର୍ଯ୍ୟକ୍ଷମ ହୋଇପାରୁନି। ହୃଦରୋଗ, ସ୍ନାୟୁରୋଗ, କିଡ୍ନି, କର୍କଟ ରୋଗର ବିଶେଷଜ୍ଞ ନଥିବାରୁ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ପ୍ରଶାସନିକ ଅବହେଳା ଓ କର୍ମଚାରୀ ଅଭାବ ଯୋଗୁଁ ଜିଲ୍ଲାର ଚିକିତ୍ସା ଭିତ୍ତିଭୂମି ଭୁଶୁଡ଼ି ପଡ଼ିଥିବାରୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଜିଲ୍ଲାବାସୀଙ୍କ ପାଇଁ ଦିବାସ୍ବପ୍ନ ପାଲଟିଛି। swadhikarswadhikar news Share