Odia News Portal

୬ ବ୍ରିଟେନ୍ ଫେରନ୍ତା ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ ପ୍ରବେଶ କରିଛି କରୋନାର ନୂଆ ଷ୍ଟ୍ରେନ୍ । ନୂଆ ଭୂତାଣୁରେ ସଂକ୍ରମିତ ୬ ବ୍ରିଟେନ୍ ଫେରନ୍ତା ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ମଧ୍ୟରୁ ୩ଜଣ ବେଙ୍ଗାଲୁରୁ, ୨ଜଣ ହାଇଦ୍ରାବାଦରୁ ଏବଂ ଜଣେ ପୁନେ ଲ୍ୟାବରୁ ଚିହ୍ନଟ ହୋଇଛନ୍ତି । ନଭେମ୍ବର ୨୫ରୁ ଡ଼ିସେମ୍ବର ୨୩ ତାରିଖ ସୁଦ୍ଧା ୟୁକେରୁ ପାଖାପାଖି ୩୩ ହଜାର ଲୋକ ଭାରତ ଫେରିଛନ୍ତି । ସମସ୍ତଙ୍କୁ ଟ୍ରାକ୍ କରାଯାଇ କରୋନା ଟେଷ୍ଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୧୧୪ଜଣଙ୍କ ଦେହରେ କରୋନା ପଜିଟିଭ୍ ମିଳିଛି । ଏହାପରେ ସମସ୍ତ ସାମ୍ପୁଲକୁ ଦେଶର ୧୦ଟି ଲ୍ୟାବକୁ ପଠାଯାଇଥିଲା ।

ଏମାନଙ୍କ ଭିତରୁ ୬ଜଣଙ୍କ ସାମ୍ପୁଲରୁ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଏହି ସମସ୍ତ ଲୋକଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ସେଲଫ ଆଇସୋଲେସନ୍ରେ ରଖାଯାଇଛି ।ଏହାବ୍ୟତୀତ ସେମାନଙ୍କ ପରିବାର ଓ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି କ୍ୱାରେଣ୍ଟାଇନରେ ରଖାଯାଇଛି । ଏହା ସହ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ଯାଂଚ କରାଯାଇଛି । ସୁଚନା ଅନୁସାରେ ବ୍ରିଟେନରୁ ମିଳିଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ବୈଜ୍ଞାନିକ ମାନେ ଖୁବ୍ ସତର୍କତା ସହ ରହିବାକୁ ପରାମର୍ଶ ଦେଇଛନ୍ତି । ସେପଟେ ଡ଼ିସେମ୍ବର ୨୩ ତାରିଖରୁ ୩୧ ତାରିଖ ଭିତରେ ୟୁକେରୁ ଆସିଥିବା ସମସ୍ତ ବିମାନ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର ।