Odia News Portal

ଭାରତରେ ଶହେ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତ । ଟିକାକରଣ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ପାର କରିଛି । କୋଭିଡ ବିରୋଧରେ ଜାରି ରହିଥିବା ଲଢ଼େଇ ମୁଖ୍ୟ ଅସ୍ତ୍ର ବୋଲାଉଥିବା ଟିକାକରଣରେ ଭାରତ ୧୦୦ କୋଟି ଟପିଛି । ଯାହାକି ରେକର୍ଡ କରାଯାଇଛି । ଏହି ସଫଳତା ସହ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି, ଯେଉଁଠି ଏତେ ଦ୍ରୁତ ଗତିରେ ଟିକାକରଣ ୧୦୦ କୋଟି ଟପିଛି। ଏହି ସଫଳତା ପରେ ଟୁଇଟ କରି ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। ସେ ଲେଖିଛନ୍ତି ‘ଅଭିନନ୍ଦନ ଭାରତ! ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱର ଏହା ହେଉଛି ଫଳାଫଳ।

ତେବେ ଭାରତକୁ ଏତେ ବଡ଼ ସଫଳତା ମିଳିବା ପରେ ଏହି ଦିନକୁ ଖବୁ ଧୁମଧାମରେ ପାଳନ କରିବା ପାଇଁ ପୂର୍ବରୁ ଯୋଜନା କରାଯାଇଥିଲା। କରୋନା ଟିକାକରଣ ୧୦୦ କୋଟି ଟପିବା ପରେ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଲୋକପ୍ରିୟ କଣ୍ଠଶିଳ୍ପୀ କୈଲାଶ ଖେରଙ୍କ ଏକ ଗୀତ ଏବଂ ଲାଲକିଲ୍ଲାରେ ଏକ ଅଡିଓ-ଭିଜୁଆଲ୍ ଫିଲ୍ମ ଲଞ୍ଚ କରିବେ। ଦେଶର ଟ୍ରେନ, ବିମାନ, ଜାହାଜରେ ମାଇକ୍ ଯୋଗେ ଏ ସଂପର୍କରେ ଘୋଷଣା ହେବ। ଏଥିସହିତ ଦିଲ୍ଲୀର ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଯିବ। ବିଜେପିର ନେତାମାନେ ଟିକାକରଣ କେନ୍ଦ୍ର ପରିଦର୍ଶନ କରିବେ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଟିକାକରଣ କେନ୍ଦ୍ରକୁ ଯିବେ। ଦଳର ସାଧାରଣ ସଂପାଦକ ଅରୁଣ ସିଂ ଏବଂ ଡି. ଗୌତମ ଯଥାକ୍ରମେ ତାମିଲନାଡ଼ୁର କୋଏମ୍ବାଟୁର ଏବଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଗସ୍ତ କରିବେ।