Odia News Portal

ଶ୍ରୀଲଙ୍କାରେ କମାଲ କରିବ ଧାୱନ-ଦ୍ରାବିଡ ଯୋଡ଼ି

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ୩ ବର୍ଷ ପରେ ଶ୍ରୀଲଙ୍କା ସହ ମ୍ୟାଚ ଖେଳିବ ଭାରତ । ତିନୋଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ ଖେଳାଯିବ । ଜୁଲାଇ ୧୩ରେ ଆରମ୍ଭ ହେବାକୁ ଥିବା ଏହି ସିରିଜ ୨୫ରେ ଶେଷ ହେବ । ତେବେ ଏହି ଗସ୍ତରେ ବିରାଟ ଓ ରୋହିତ ଯିବେ ନାହିଁ । ସେମାନେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଥିଲେ । ଏଣୁ ଧାୱନ ଦଳର ନେତୃତ୍ୱ ନେବେ ବୋଲି ଚର୍ଚ୍ଚା ହେଉଛି । ସେପଟେ ଭାରତୀୟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ବିରାଟ ବାହିନୀ ସହ ରହିଥିବା ବେଳେ ରାହୁଲ ଦ୍ରାବିଡ ଦଳର ପ୍ରଶିକ୍ଷଣ ଭାର ସମ୍ଭାଳିବେ ।

ଦ୍ରାବିଡଙ୍କ ପ୍ରଶିକ୍ଷଣରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ତେବେ ଏହି ଗସ୍ତରେ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଯୁବ ପ୍ରତିଭାଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିଛି । ହର୍ଷେଲ ପଟେଲ, ଦେବିଦତ ପାଡିକଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳୀ ଦଳରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ।

ଶେଷଥର ଲାଗି ଭାରତ ଶ୍ରୀଲଙ୍କାରେ ନିଦାଶ ଟ୍ରଫି ଖେଳିଥିଲା । ବାଲାଂଦେଶ ବିରୋଧରେ ଫାଇନାଲରେ ଦିନେଟ କାର୍ତ୍ତିକଙ୍କ ଶେଷ ବଲରେ ଛକା ସମସ୍ତଙ୍କ ଲାଗି ଅଭୁଲା ହୋଇ ରହିଛି । ତେବେ ଶ୍ରୀଲଙ୍କା ମାଟିରେ ଭଲ ପ୍ରଦର୍ଶନ କରିଥିବା ଡିକେଙ୍କୁ ଦଳରେ ସ୍ଥାନ ମିଳିପାରେ ବୋଲି ସମ୍ଭାବନା ରହିଛି । ସେପଟେ ଧାୱନ ନେତୃତ୍ୱ ନେଇ ଦଳକୁ ବିଜୟ କରାଇବେ ବୋଲି ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ଧାୱନ ଓ ଦ୍ରାବିଡଙ୍କ ଯୋଡ଼ି କେତେଦୂର ସଫଳ ହେବ ତାଉଛପରେ ରହିଛି ସମସ୍ତଙ୍କ ନଜର ।