Odia News Portal

ଆଜିଠୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ


ଚେନ୍ନାଇ: ଆଜିଠାରୁ ଏମ୍‌.ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ । ଶେଷ ଥର ପାଇଁ ଘରୋଇ ମାଟିରେ ଭାରତ-ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ୍ ଅନୁଷ୍ଠିତ ହୋଇଥିଲା । ପ୍ରାୟ ବର୍ଷେ ପରେ ଭାରତ ପ୍ରଥମ ଥର ପାଇଁ ଘରୋଇ ଗ୍ରାଉଣ୍ଡରେ ଟେଷ୍ଟ ଖେଳିବ । ବର୍ଡର-ଗାଭାସ୍କର ଟ୍ରଫିରେ ଚମତ୍କାର ବିଜୟ ପରେ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ ରହିଥିବାବେଳେ ଅନ୍ୟତମ ଶକ୍ତିଶାଳୀ ଇଂଲଣ୍ଡ ପ୍ରତିପକ୍ଷ ଶ୍ରୀଲଙ୍କାକୁ ତାର ଘରୋଇ ମାଟିରେ ପରାସ୍ତ କରିଛି । ତେଣୁ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ । ଭାରତୀୟ ଦଳକୁ ପିତା ହୋଇଥିବା ବିରାଟ କୋହଲି ପ୍ରତ୍ୟାବର୍ତ୍ତନ କରିଥିବାରୁ ରାହାଣେ ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । ଆସନ୍ତାକାଲି ସକାଳ ସାଢ ୯ଟାରେ ମ୍ୟାଚ୍ ଆରମ୍ଭ ହେବ ।

IND vs ENG 1st test match


ଚେନ୍ନାଇ ଷ୍ଟାଡିୟମ୍‌ର ରେକର୍ଡକୁ ଦେଖିଲେ ୨୦୦୧ ମସିହାରୁ ଭାରତ ଏହି ଷ୍ଟାଡିୟମରେ ପରାସ୍ତ ହୋଇନି । ଶେଷ ଥର ପାଇଁ ଏଠାରେ ପାକିସ୍ତାନଠାରୁ ୧୯୯୯ରେ ୧୨ ରନ୍‌ରେ ପରାସ୍ତ ହୋଇଥିଲା ଭାରତ । ଭାରତ-ଇଂଲଣ୍ଡ ମଧ୍ୟରେ ଏହି ଷ୍ଟାଡିୟମ୍‌ରେ ୯ ଥର ମୁହାଁମୁହିଁ ହୋଇଛନ୍ତି । ଏଥିରେ ଭାରତ ୪ଟିରେ ବିଜୟୀ ହୋଇଥିବାବେଳେ ଇଂଲଣ୍ଡ ୩ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ସେହିପରି ଦୁଇଟି ମ୍ୟାଚ୍ ଡ୍ରରେ ସମାପ୍ତ ହୋଇଛି । ଶେଷ ଥର ପାଇଁ ୨୦୧୬ରେ ଭାରତ ଏଠାରେ ବିଜୟୀ ହୋଇଥିଲା ।
ତେବେ ଏବେକାର ଭାରତୀୟ ଦଳରେ ଥିବା ଅଧିକାଂଶ ଖେଳାଳିଙ୍କର ଚେନ୍ନାଇରେ ଖେଳିବା ଅଭିଜ୍ଞତା ନାହିଁ । ଲୋକେଶ ରାହୁଲ ଏଠାରେ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଛନ୍ତି । ସେହିପରି ଇଂଲଣ୍ଡର ପ୍ରାୟତଃ ସବୁ ଖେଳାଳି ଏଠାରେ ପ୍ରଥମ ଥର ଖେଳିବେ ।
ଦୁଇ ଦଳର ବ୍ୟାଟିଂ ଲାଇନ୍‌ଅପ୍‌କୁ ଦେଖିଲେ ଘରୋଇ ଗ୍ରାଉଣ୍ଡରେ ଭାରତୀୟ ବେଶ୍ ଦଳ ଶକ୍ତିଶାଳୀ ମନେହେଉଛି । ଓପନିଂ ଭାବେ ରୋହିତ ଶର୍ମା ଓ ଶୁବମନ ଗିଲ୍ ପଡ଼ିଆକୁ ଓହ୍ଲାଇବେ । ପୂର୍ବ ସିରିଜ୍‌ରେ ଗିଲ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।

MA Chidambaram Stadium, Chennai

ପରବର୍ତ୍ତୀ ଲାଇନଅପ୍ ଚେତେଶ୍ୱର ପୂଜାରା, ଅଧିନାୟକ ବିରାଟ କୋହଲି, ଆଜିଙ୍କ୍ୟା ରାହାଣେ, ଋଷଭ ପନ୍ତ ପ୍ରଥମ ୬ଟି ସ୍ଥାନ ପକ୍କା କରିଛନ୍ତି । ସେହିପରି ବୋଲିଂରେ ଯଶପ୍ରୀତ ବୁମରା କମାଣ ସମ୍ଭାଳିବେ । ତାଙ୍କୁ ସାଥ୍ ଦେବା ପାଇଁ ମହମ୍ମଦ ସିରାଜ, ଈଶାନ୍ତ ଶର୍ମାଙ୍କ ମଧ୍ୟରୁ ଜଣେ ଖେଳିବେ । ସେହିପରି ଚେନ୍ନାଇରେ ୩ ଜଣ ସ୍ପିନରଙ୍କୁ ଖେଳାଇବା ଯୋଜନାରେ ରହିଛି ଭାରତ । ଫଳରେ ରବିଚନ୍ଦ୍ରନ ଅଶ୍ୱିନ, ୱାଂଶିଟନ ସୁନ୍ଦର, କୁଲଦୀପ ଯାଦବ ଖେଳିବା ସମ୍ଭାବନା ରହିଛି । ଏପରି ହେଲେ ଚୂଡ଼ାନ୍ତ ଦଳରୁ ହାର୍ଦ୍ଦିକ ପାଣ୍ଡ୍ୟା, ସର୍ଦ୍ଦୁଲ ଠାକୁର ଓ ଲୋକେଶ ରାହୁଲ ବାଦ୍‌ପଡିପାରନ୍ତି ।
ଅନ୍ୟପକ୍ଷରେ ଜୋ ରୁଟ୍‌ଙ୍କ ନେତୃତ୍ୱରେ ଇଂଲଣ୍ଡ ଏକ ସୁସ୍ଥ ମନୋବଳ ନେଇ ଭାରତ ଆସିଛି ।

ଦଳ ଶ୍ରୀଲଙ୍କାରେ ୨-୦ରେ ବିଜୟୀ ହାସଲ କରିଥିବାରୁ ଘରୋଇ ଭାରତକୁ ଚକମା ଦେଖାଇବାକୁ ଉଦ୍ୟମ କରିବ । ଦଳରେ ଜୋ ରୁଟ୍‌ଙ୍କ ବ୍ୟତୀତ ଜାକ କ୍ରଲେ, ବେନ ଷ୍ଟୋକ୍ସ, ଜୋସ୍ ବଟଲରଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଥିବାବେଳେ ବିଶ୍ୱର ଅଭିଜ୍ଞ ବୋଲର ଜେମ୍ସ ଆଣ୍ଡରସନ୍‌, ଜୋଫ୍ରା ଆର୍ଚ୍ଚର, ଷ୍ଟୁଆର୍ଟ ବ୍ରଡ ଭାରତୀୟ ବ୍ୟାଟିଂ ଲାଇନ୍ ଅପ୍ ପାଇଁ କାଠିକର ପାଠ ହୋଇପାରେ । ସେହିପରି ଡମ୍ ବେସ୍ ଓ ମୋଇନ ଅଲ୍ଲୀ ସ୍ପିନର ଭାବେ ଦଳକୁ ବେଶ୍ ଅଡୁଆରେ ପକାଇପାରିବେ ।