Odia News Portal

ଚେନ୍ନାଇରେ ରୁଟଙ୍କ ରାଜ୍

ଚେନ୍ନାଇ: ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟରେ ଜୋ ରୁଟଙ୍କ ଦମଦାର ଦ୍ୱିଶତକ । ଚେନ୍ନାଇ ଟେଷ୍ଟରେ ରୁଟ୍ ୨୦୦ ରନ୍ କରି ସାରିଛନ୍ତି । ଲଗାତର ଭାବେ ସେ ତିନୋଟି ଟେଷ୍ଟ ମ୍ୟାଚରେ ୧୫୦ରୁ ଅଧିକ ରନ୍ କରିଛନ୍ତି । ଏହି ତାଲିକାରେ ସେ ସପ୍ତମ ସ୍ଥାନରେ ପହଁଚିଛନ୍ତି । ସେ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟରେ ଯଥାକ୍ରମେ ୨୨୮ ଓ ୧୮୬ ରନ୍ କରିଥିଲେ । ଚେନ୍ନାଇ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦଳର ସ୍କୋର ୮ ୱିକେଟ୍ ହରାଇ କରିଛି ୫୫୫ ରନ୍ । ଭାରତ ପକ୍ଷରୁ ଇଶାନ୍ତ, ବୁମରା, ଅଶ୍ୱିନୀ ଓ ନଦୀମଙ୍କ ଦୁଇଟି ଲେଖାଏଁ ୱିକେଟ୍ ମିଳିଛି ।

ଗତକାଲିର ଇଂନିସ ପରେ ଆଜି ପୁଣି ଇଂଲଣ୍ଡ ନିଜର ବ୍ୟାଟିଂ ଜାରି ରଖିଥିଲା । ଗତକାଲି ଶତକ ଅର୍ଜନ କରିଥିବା ଇଂଲଣ୍ଡ ଦଳର ଅଧିନାୟକ ଆଜି ନିଜର ଦ୍ୱିଶତକ ପୂରଣ କରିଥିଲେ । ତାଙ୍କ ସହ ବେନ୍ ଷ୍ଟୋକସ୍ ମଧ୍ୟ ୮୨ ରନ୍ କରି ଶତକରୁ ବଞ୍ଚିିତ ହୋଇଥିଲେ । ଏହାପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ ଇଂନିସ ଖେଳିପାରିନଥିଲେ । ଦଳ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୮ ୱିକେଟ୍ ହରାଇ ୫୫୫ ରନ୍ ସଂଗ୍ରହ କରିନେଇଛି । ଭାରତ ପକ୍ଷରୁ ଦ୍ରୁତ ବୋଲର ଇଶାନ୍ତ ଶର୍ମା, ଜଶପ୍ରୀତ ବୁମରା ଦୁଇଟି ଲେଖାଏଁ ୱିକେଟ୍ ପାଇଛନ୍ତି । ତାଙ୍କ ସହିତ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଓ ସାହାବାଜ୍ ନଦିମ ମଧ୍ୟ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି ।

ଜୋ ରୁଟ୍ କ୍ୟାରିଅରର ୯୮,୯୯ ଓ ୧୦୦ ତମ ମ୍ୟାଚରେ ଶତକ ଲଗାଇଛନ୍ତି । ଏପରି କରିଥିବା ସେ ହେଉଛନ୍ତି ପ୍ରଥମ କ୍ରିକେଟର । ଏହାପୂର୍ବରୁ ସେ ୯୮ ଓ ୯୯ ତମ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଶତକ ଅର୍ଜନ କରିଥିଲେ । ଏହାସହ ୧୦୦ ତମ ମ୍ୟାଚରେ ଶତକ ଲଗାଇଥିବା ସେ ତୃତୀୟ ଇଂଲଣ୍ଡ ଖେଳାଳି । ଏହାବ୍ୟତୀତ ରୁଟ୍ ୧୦୦ ତମ ମ୍ୟାଚରେ ୧୫୦ରୁ ଅଧିକ ରନ୍ କରିଥିବା ଦ୍ୱିତୀୟ ବ୍ୟାଟସମ୍ୟାନ୍ ଅଟନ୍ତି । ଏହାପୂର୍ବରୁ ପାକିସ୍ତାନର ଇଞ୍ଜାମାମ ଉଲ ହକ୍ ଏହି କାରନାମା କରିଥିଲେ । ସେ ୨୦୦୫ରେ ଭାରତ ବିପକ୍ଷରେ ନିଜର ଶହେ ତମ ମ୍ୟାଚରେ ୧୮୪ ରନ୍ କରିଥିଲେ ।