ମ୍ୟାଚ ବଦଳାଇଦେଲେ ୱାଶିଂଟନ ସୁନ୍ଦର। ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟି ଟ୍ବେଣ୍ଟିରେ ଭାରତର ବଡ଼ ବିଜୟ। ୪୮ ରନରେ କଙ୍ଗାରୁ ଦଳକୁ ହରାଇଲା ଟିମ ଇଣ୍ଡିଆ। ଅଷ୍ଟ୍ରେଲିଆକୁ ଚତୁର୍ଥ ଟି ଟ୍ବେଣ୍ଟି ଜିତିବା ପାଇଁ ୨୪ ବଲରେ ୫୪ ରନ ଦରକାର ଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ସୁନ୍ଦର। ୧୬ ଓଭର ଯାଏ ତାଙ୍କୁ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ବୋଲିଂ କରିବାକୁ ଦେଇନଥିଲେ।୧୭ତମ ଓଭରରେ ବୋଲିଂ କରିବାକୁ ଆସିଥିବା ସୁନ୍ଦରଙ୍କ ସାମ୍ନାରେ ଥିଲେ ମାର୍କସ ଷ୍ଟୋଇନିସଙ୍କ ଭଳି ବିସ୍ଫୋରକ ବ୍ୟାଟର। କିନ୍ତୁ ସେହି ଓଭରରେ ସୁନ୍ଦର ମାତ୍ର ୨ ରନ ଦେବା ସହ ଷ୍ଟୋଇନିସ ଓ ଜାଭିୟର ବାର୍ଟଲେଟଙ୍କୁ ଆଉଟ କରି ଭାରତର ବିଜୟକୁ ଏକ ପ୍ରକାରର ନିଶ୍ଚିତ କରିଦେଇଥିଲେ। ପରବର୍ତ୍ତୀ ଓଭରରେ ସେ ଆଉ ଗୋଟିଏ ୱିକେଟ ମଧ୍ୟ ନେଇଥିଲେ।୧.୨ ଓଭରରେ ସେ ମାତ୍ର ୩ ରନ ଦେଇ ୩ଟି ୱିକେଟ ନେଇଛନ୍ତି। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୬୭ ରନ କରିଥିଲା। ବିଜୟ ଲକ୍ଷ୍ୟ ୧୬୮ ରନର ପିଛା କରୁଥିବା ଘରୋଇ ଦଳ ୧୧୯ ରନରେ ଅଲଆଉଟ ହୋଇଯାଇଥିଲା। ଭାରତ ଏହି ମ୍ୟାଚ୍ କୁ ୪୮ ରନରେ ଜିତି ୫ ଟିକିଆ ଟି-୨୦ ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି।ଏବେ ଆଉ ଗୋଟିଏ ମ୍ୟାଚ୍ ବାକି ରହିଛି। ସୁନ୍ଦରଙ୍କ ବ୍ୟତୀତ ଅକ୍ଷର ପଟେଲ ଓ ଶିବମ ଦୁବେ ୨ଟି ଲେଖାଏ ୱିକେଟ ପାଇଥିବା ବେଳେ ଯଶପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ ଓ ଅର୍ଶଦୀପ ସିଂହ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ୪ ଓଭରରେ ମାତ୍ର ୨୦ ରନ ଦେଇ ୨ଟି ୱିକେଟ ନେଇଥିବା ଅକ୍ଷର ପଟେଲ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।ସେ ବ୍ୟାଟିଂ ବେଳେ ଅପରାଜିତ ୨୧ ରନର ଇନିଂସ ଖେଳିଥିଲେ। ଏହା ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଦ୍ୱିତୀୟ ସର୍ବବୃହତ ଟି ଟ୍ବେଣ୍ଟି ବିଜୟ। ପୂର୍ବ ରେକର୍ଡ ୭୩ ରନ ଥିଲା, ଯାହା ଭାରତ ୨୦୧୪ରେ ମୀରପୁରରେ କରିଥିଲା। ଏହା ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସର୍ବବୃହତ ଘରୋଇ ବିଜୟ ମଧ୍ୟ। ପୂର୍ବ ରେକର୍ଡ ୩୭ ରନ ଥିଲା, ଯାହା ଭାରତ ୨୦୧୬ରେ ଆଡିଲେଡରେ ସ୍ଥାପନ କରିଥିଲା।
