ଚିଲିକାର ସୁରକ୍ଷା ପାଇଁ ସମନ୍ୱିତ ଯୋଜନା By Swadhikar News Last updated Jan 13, 2026 ଚିଲିକା ହ୍ରଦର ବିକାଶ ପାଇଁ ରାଜ୍ୟ ସରକାର ଏକ ସମନ୍ୱିତ ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନା ମୁତାବକ ଚିଲିକାର ପୁନରୁଦ୍ଧାର କରାଯିବ। ଏହାର ମୁହାଣ ଖୋଳାଯିବା ସହ ହ୍ରଦକୁ ସଂଯୋଗ କରୁଥିବା ପାଣି ଚ୍ୟାନେଲ୍ଗୁଡ଼ିକର ଖନନ ହେବ। ଚିଲିକାର ମୁଖ୍ୟ ପାଣି ଚ୍ୟାନେଲ ସହିତ ବାଲୁଗାଁ ଚ୍ୟାନେଲ, ମଗରମୁଖ ଚ୍ୟାନେଲ ଓ ପାଲୁର ଚ୍ୟାନେଲକୁ ଖୋଳାଯାଇ ମାଟି କଢ଼ାଯିବ।ଏଥିସହ ମତ୍ସ୍ୟସମ୍ପଦର ଉନ୍ନତୀକରଣ ପାଇଁ ଫିସ୍ ଲ୍ୟାଣ୍ଡିଙ୍ଗ୍ ସେଣ୍ଟର ପ୍ରତିଷ୍ଠା, ଅନ୍ୟାନ୍ୟ ଦୀର୍ଘସ୍ଥାୟୀ ଭିତ୍ତିଭୂମିର ବିକାଶ ଓ ଗବେଷଣା କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଅନୁଷ୍ଠିତ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି। ଏହା ଦ୍ୱାରା ଚିଲିକାର ଲବଣାଂଶରେ ସନ୍ତୁଳନ ରହିବା ସହ ଜୈବବିବିଧତାରେ ଉନ୍ନତି ଆସିପାରିବ। ଏଥିପାଇଁ ୫ ବର୍ଷ ସମୟ ଲାଗିବ। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚିଲିକା ହେଉଛି ଆମ ଜୈବବିବିଧତାର ଏକ ଭଣ୍ଡାର।ତେଣୁ ଏହାର ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। swadhikarswadhikar news Share