ଆସନ୍ତାକାଲି ଇସ୍ରୋର ବଡ଼ ଧମାକା । କମ୍ୟୁନିକେସନ୍ ସାଟେଲାଇଟ୍ CMS-03 ଉତକ୍ଷେପଣ ପାଇଁ ପ୍ରସ୍ତୁତ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପକ୍ଷରୁ ଆସନ୍ତାକାଲି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମିଶନ୍ ପାଇଁ ପ୍ରସ୍ତୁତି ସରିଛି । ଦେଶର ସବୁଠୁ ଶକ୍ତିଶାଳୀ ରକେଟ୍ LVM3-M5 ମାଧ୍ୟମରେ CMS-03 ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ଉପଗ୍ରହକୁ ମହାକାଶକୁ ପଠାଯିବ । ଏଥିପାଇଁ ସମସ୍ତ ଯାଞ୍ଚ ଓ ଇନ୍ଧନ ଭର୍ତ୍ତି କାର୍ଯ୍ୟ ସରିଛି । ସବୁ ବ୍ୟବସ୍ଥା ଠିକ୍ ଥିବା ଇସ୍ରୋ ପକ୍ଷରୁ ସୂଚନା ମିଳିଛି । ଏହି ଉତକ୍ଷେପଣ ରବିବାର ସନ୍ଧ୍ୟା ୫ଟା ୨୬ ମିନିଟରେ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ହେବ। CMS-03 (GSAT-7R)ଉପଗ୍ରହର ଓଜନ ପ୍ରାୟ ୪,୪୧୦ କିଲୋଗ୍ରାମ । ଭାରତୀୟ ମାଟିରୁ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର କକ୍ଷପଥ (GTO) କୁ ଯାଉଥିବା ଏହା ହେଉଛି ସବୁଠୁ ଓଜନିଆ ଯୋଗାଯୋଗ ସାଟେଲାଇଟ୍ । ଏହି ଉପଗ୍ରହ ମୁଖ୍ୟତଃ ଭାରତୀୟ ନୌସେନା ପାଇଁ ନିର୍ମିତ ।ଏହା ଜାହାଜ, ବୁଡ଼ାଜାହାଜ ଓ ବିମାନଗୁଡ଼ିକୁ ସୁରକ୍ଷିତ ତଥା ଉନ୍ନତ ଯୋଗାଯୋଗ ସେବା ଯୋଗାଇବ । ବିଶେଷକରି ସାମୁଦ୍ରିକ ଓ ରଣନୈତିକ ସଂଯୋଗ ବୃଦ୍ଧିରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । LVM3 ମିଶନ୍ ରେ ବ୍ୟବହୃତ ହେଉଥିବା LVM3-M5 ହେଉଛି ଭାରତର ସବୁଠୁ ଶକ୍ତିଶାଳୀ ରକେଟ୍ ଏବଂ ଏହାର ଏହା ପଞ୍ଚମ କାର୍ଯ୍ୟକ୍ଷମ ଉଡ଼ାଣ । ପୂର୍ବରୁ ଏହା ଚନ୍ଦ୍ରଯାନ-୩ ଭଳି ଗୁରୁତ୍ୱପୂର୍ଣ୍ଣ ମିଶନ୍ କୁ ସଫଳତାର ସହ ଅନ୍ତରୀକ୍ଷକୁ ନେଇଛି । ଏହି ମିଶନ୍ ଦ୍ୱାରା ଭାରତର ମହାକାଶ ଭିତ୍ତିକ ସାମରିକ ଓ ବେସାମରିକ ଯୋଗାଯୋଗ ବ୍ୟବସ୍ଥା ଆହୁରି ମଜଭୁତ ହେବ । ଏହା ସହିତ ଭବିଷ୍ୟତର ଗଗନଯାନ ମିଶନ୍ ପାଇଁ ମଧ୍ୟ ଏହା ଅତ୍ୟନ୍ତ ସହାୟକ ହେବ ।
