Odia News Portal

ଆମେରିକା ଓ ଚୀନର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ ଏସ୍ ଜୟଶଙ୍କର

ଆଜି ‘ଜି୨୦’ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଅବସରରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଏବଂ ଚୀନ୍‌ର ବୈଦେଶିକ ମନ୍ତ୍ରୀ କିନ୍‌ ଗାଙ୍ଗ୍‌ଙ୍କୁ ସାକ୍ଷାତ କରିବେ।

ପ୍ରଥମେ ଜୟଶଙ୍କର ରାଷ୍ଟ୍ରପତି ଭବନର କଲ୍‌ଚୁରାଲ୍‌ ସେଣ୍ଟର୍‌ରେ ପୂର୍ବାହ୍ନ ୧୧.୩୦ରେ ବ୍ଲିଙ୍କେନ୍‌ଙ୍କୁ ଭେଟିବେ ବୋଲି ଏ ସଂକ୍ରାନ୍ତରେ ଅବଗତ ଥିବା ବ୍ୟକ୍ତିମାନେ କହିଛନ୍ତି। ବ୍ଲିଙ୍କେନ୍‌ଙ୍କୁ ଭେଟିବା ପରେ ପରେ ଜୟଶଙ୍କର ମଧ୍ୟାହ୍ନରେ କିନ୍‌ଙ୍କୁ ଭେଟିବେ। କିନ୍‌ ହେଉଛନ୍ତି ଚୀନ୍‌ର ରାଷ୍ଟ୍ରପତି ସି ଜିଙ୍ଗ୍‌ପିନ୍‌ଙ୍କ ଘନିଷ୍ଠ ଏବଂ ଚୀନ୍‌ର ବୈଦେଶିକ ମନ୍ତ୍ରୀ ହେବା ପରେ ସେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି।

ଆମେରିକା ଓ ଚୀନ୍‌ ମଧ୍ୟରେ ଉତ୍ତେଜନା ଲାଗିରହିବା ଏବଂ ଭାରତ ଓ ଚୀନ୍‌ ସେନା ମଧ୍ୟରେ ସାମରିକ ଅଚଳାବସ୍ଥାର ସମାଧାନରେ ବିଳମ୍ବ ହେଉଥିବାରୁ ଏହି ବୈଠକ ଗୁରୁତ୍ବ ବହନ କରିବା ପରି ମନେହେଉଛି।

ସେପଟେ, ସାମ୍ବାଦିକମାନଙ୍କୁ ବ୍ଲିଙ୍କେନ୍‌ କହିଛନ୍ତି ଯେ, ‘ଜି୨୦’ ବୈଠକ ଅବସରରେ ତାଙ୍କର ରୁଷୀୟ ଓ ଚୀନା ବୈ‌ଦେଶିକ ମନ୍ତ୍ରୀମାନଙ୍କ ସହିତ ସାକ୍ଷାତ କରିବାର ଯୋଜନା ନାହିଁ।