Odia News Portal

ଜମ୍ମୁ ଏୟାରପୋର୍ଟ ନିକଟରେ ବିସ୍ଫୋରଣ, ୨ ଯବାନ ଆହତ

ଜମ୍ମୁ-କାଶ୍ମୀର: ଜାମ୍ମୁର ଏୟାରଫୋର୍ସ ଷ୍ଟେସନରେ ଗତକାଲି ବିଳମ୍ବିତ ରାତିରେ ହୋଇଥିବା ବିସ୍ଫୋରଣ ଜାମ୍ମୁ କାଶ୍ମୀରରୁ ନେଇ ଦିଲ୍ଲୀ ଯାଏଁ ସୁରକ୍ଷା ବାହିନିର ନିଦ ହଜେଇ ଦେଇଛି। ଏହା ଆତଙ୍କୀ ଆକ୍ରମଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏହା ଏକ ଆତଙ୍କୀ ଆକ୍ରମଣ ଥିଲା କି ଅନ୍ୟ କୌଣସି କାରଣରୁ ବିସ୍ଫୋରଣ ହୋଇଛି ସେନେଇ ରାଷ୍ଟ୍ରୀୟ ଯାଞ୍ଚ୍ ଏଜେନ୍ସି ଏନଆଇଏ ତଦନ୍ତ କରୁଛି। ଫରେନସିକ୍ ବିଭାଗ ଓ ଗୁଇନ୍ଦା ବିଭାଗ ମଧ୍ୟ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଛନ୍ତି। ପି-୧୬ ଡ୍ରୋନ୍ ସାହାଯ୍ୟରେ ଆକାଶ ମାର୍ଗରୁ ଏହି ବିସ୍ଫୋରଣ କରାଯାଇଛି ବୋଲି ଅନୁମାନ କରାଯାଉଛି।

ଏୟାରପୋର୍ଟର ଟେକ୍ନିକାଲ ଏରିଆରେ ଶନିବାର ବିଳମ୍ବିତ ରାତିରେ ପାଞ୍ଚ ମିନିଟ୍ ମଧ୍ୟରେ ଦୁଇଟି ବିସ୍ଫୋରଣ ହୋଇଥିଲା । ପ୍ରଥମ ବ୍ଲାଷ୍ଟ୍ ଏକ କୋଠା ଛାତ ଉପରେ ଏବଂ ଦ୍ୱିତୀୟ ବ୍ଲାଷ୍ଟ ତଳେ ହୋଇଥିଲା । ବିସ୍ଫୋରଣ ଘଟାଇବା ପାଇଁ ଡ୍ରୋନର ବ୍ୟବହାର କରାଯାଇଥିବା ପୋଲିସ୍ ସୂତ୍ରରୁ ଜଣାପଡିଛି । ଏହା ଏକ ହାଇ ସିକ୍ୟୁରିଟି ଅଞ୍ଚଳ ହୋଇଥିବାରୁ ଏହାକୁ ଜାଣିଶୁଣି ଟାର୍ଗେଟ୍ କରାଯାଇଛି । ଏହି ଘଟଣା ପଛରେ କାହାର ହାତ ଅଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଘଟଣାସ୍ଥଳରେ ଛିଡା ହୋଇଥିବା ଏକ ବିମାନକୁ ଉଡ଼ାଇବା ପାଇଁ ଆକ୍ରମଣକାରୀ ଯୋଜନା କରିଥିଲେ । କିନ୍ତୁ ଏହା ସଫଳ ହୋଇନଥିଲା ।

ବିସ୍ଫୋରଣ ସ୍ଥଳ ପାଖରେ ଭାରତୀୟ ବାୟୁସେନାର ହେଡ୍ କ୍ୱାର୍ଟର ଅଛି । ଜାମ୍ମୁର ମୁଖ୍ୟ ଏୟାରପୋର୍ଟ ମଧ୍ୟ ଏହି କ୍ୟାମ୍ପସରେ ରହିଛି । ବାୟୁସେନା, ନୌସେନା ଓ ଜମ୍ମୁ-କାଶ୍ମୀର ପୋଲିସର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଭାରତୀୟ ବାୟୁସେନାର ଏକ ଉଚ୍ଚସ୍ତରୀୟ ଟିମ୍ ଏହି ଘଟଣାର ତଦନ୍ତ କରିବ ।