Odia News Portal

ଯୁବକ, ଛାତ୍ର ଓ ମହିଳାଙ୍କୁ ଫୋକ୍ସରେ ରଖିଲେ ନବୀନ

ଭୁବନେଶ୍ବର () ଏବର୍ଷ ବିଜେଡିର ଜନ ସମ୍ପର୍କ ପଦଯାତ୍ରା କେବଳ ଜିଲ୍ଲା କି ନିର୍ବାଚନମଣ୍ଡଳୀରେ ସୀମିତ ରହିବନି । ପଦଯାତ୍ରା ଜିଲ୍ଲା ସ୍ତରରୁ ନିର୍ବାଚନମଣ୍ଡଳୀ, ନଗର, ପଞ୍ଚାୟତ ଓ ୱାର୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆୟୋଜିତ ହେବ । ସହରାଞ୍ଚଳ ଏବଂ ପଞ୍ଚାୟତରେ ପ୍ରତ୍ୟେକ ୱାର୍ଡରେ କ୍ଷେତ୍ରୀୟ ପର୍ଯ୍ୟବେକ୍ଷକ, ବ୍ଲକ ଓ ନଗରାଞ୍ଚଳରେ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଂଯୋଜକ, ନିର୍ବାଚମଣ୍ଡଳୀ ଓ ଜିଲ୍ଲା ସ୍ତରରେ ଜିଲଲା ସଭାପତି, ଦଳୀୟ ବିଧାୟକ ଓ ବିଧାୟକ ପ୍ରାର୍ଥୀ ଉପସ୍ଥିତ ରହି ଜନ ସମ୍ପର୍କ ପଦଯାତ୍ରା ଓ ନୂତନ ସଭ୍ୟ ସଂଗ୍ରହ ଅଭିଯାନକୁ ପୂର୍ଣ୍ଣ ମାତ୍ରରେ ସଫଳ କରାଇବେ । ଦଳର ମହିଳା, କୃଷକ, ସଂଖ୍ୟାଲଘୁ, ଶ୍ରମିକ, ଦଳିତ, ଜନଜାତୀ, ସମବାୟ, ଆଇନ, ଯୁବ ଏବଂ ଛାତ୍ର ଶାଖା ସହିତ ବିଜେଡିର ଅନ୍ୟାନ ପ୍ରମୁଖ ଦଳୀୟ ସଂଗଠ ଏହି ସଭ୍ୟ ସଂଗ୍ରହ ଓ ଜନ ସମ୍ପର୍କ ପଦଯାତ୍ରାରେ ଯୋଗଦେଇ ଏହାକୁ ସଫଳ କରାଇବେ । ଏ ସବୁ କାର୍ଯ୍ୟ କିଭଳି ପ୍ରତ୍ୟେକ ସ୍ତରରେ ସମ୍ପନ୍ନ ହେଲା ତାର ସବିଶେଷ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଟ୍ବିଟରରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀ ସବୁ ଦଳୀୟ କର୍ମୀ ଓ ନେତାଙ୍କୁ ଆହ୍ବାନ ଦେଇଛନ୍ତି । ସେପ୍ଟେମ୍ବର 2 ତାରିଖରୁ ବିଜୁ ଜନତା ଦଳ ରାଜ୍ୟବ୍ୟାପୀ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଓଡିଶାବାସୀଙ୍କ ସହଯୋଗରେ ଅକ୍ଟୋବର  ତାରିଖ ସୁଦ୍ଧା ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ହାସଲ କରିବା ସହିତ ଏହାକୁ ସଫଳ କରିବା ପାଇଁ ସବୁ ସ୍ତରରେ ଉଦ୍ୟମ ଚାଲିଛି । ଦଳର ଏହି ମହତ୍ବପୂର୍ଣ୍ଣ କାର୍ଯ୍ୟକୁ ଯଥେଷ୍ଟ ଆଗ୍ରହ ଓ ନିଷ୍ଠାର ସହିତ ଆଗେଇ ନେଉଥିବାରୁ ବିଜୁ ଜନତା ଦଳର ସବୁ ନେତା କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସଦସ୍ୟତା ସଂଗ୍ରହ ଅଭିଯାନ ସହ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଦଳର ଜନ ସମ୍ପର୍କ ପଦଯାତ୍ରା ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀରୁ 11 ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ପାଳନ କରାଯିବ । ଏହି ପଦଯାତ୍ରାରେ ପ୍ରତି ବର୍ଷ ଭଳି ସମସ୍ତ ଦଳୀୟ କାର୍ଯ୍ୟକ୍ରମ ସହିତ ଜାତୀୟ ଜନକ ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ, ଅକ୍ଟୋବର 9 ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଏବଂ ଅକ୍ଟୋବର 11 ତାରିଖରେ ଲୋକ ନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ସହରୁଠାରୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ସବୁଠାରେ ପାଳନ କରାଯିବ ବୋଲି ସେ କହିଛନ୍ତି ।

ପଦଯାତ୍ରା ଅବଧି ମଧ୍ୟରେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ଏବଂ ବିଜେଡିର ନୀତି ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ନୂତନ ସଦସ୍ୟ ଭାବେ ଯୋଗଦେବା ପାଇଁ ବିଶେଷ କରି ଯୁବକ, ଛାତ୍ର ଓ ମହିଳାମାନଙ୍କୁ ଉତ୍ସାହିତ କରାଯିବ । ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ ଓ କ୍ରିୟାଶୀଳ କରାଇବା ପାଇଁ ଉଦ୍ଦିଷ୍ଟ 5-ଟି ଓ ମୋ ସରକାର ଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କୁ ଅବଗତ କରାଯିବ ।