Odia News Portal

ସିଡନୀ ଟେଷ୍ଟରେ ଲଜ୍ଜାଜନକ ଘଟଣା

ସିଡନୀ: ସିଡନୀ ଟେଷ୍ଟରେ ଭାରତୀୟ ଖେଳାଳିଙ୍କୁ ଅପମାନ । ତୃତୀୟ ଦିନରେ ଭାରତୀୟ ଖେଳାଳିଙ୍କୁ ଜାତିଗତ ଟିପ୍ପଣୀ କରିଥିବା ଅଭିଯୋଗ ପରେ ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳା ଯାଉଥିବା ମ୍ୟାଚ୍‌ ସମୟରେ ଗ୍ୟାଲେରୀରେ ବସିଥିବା କିଛି ଦର୍ଶକ ଦୁଇ ଖେଳାଳି ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ ଉପରେ ଜାତିଗତ ଟିପ୍ପଣୀ କରିଛନ୍ତି। ସେହିଭଳି ଗତକାଲି ଅନ୍ତିମ ସେସନ୍ ଖେଳ ସମୟରେ ମଧ୍ୟ ଷ୍ଟାଡିୟମରୁ ଅଷ୍ଟ୍ରେଲିଆ ଫ୍ୟାନ୍ସ ଭାରତୀୟ ଖେଳାଳିଙ୍କୁ ଜାତିଗତ ଟିପ୍ପଣୀ କରିଥିଲେ ।

ଏହି ଘଟଣାରେ ଭାରତୀୟ ଦଳ ପ୍ରବନ୍ଧକ ଅଭିଯୋଗ କରିଛନ୍ତି। ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ମ୍ୟାଚ୍‌ ସମୟରେ ନିଶାରେ ଚୁର କିଛି ଦର୍ଶକ ମହମ୍ମଦ ସିରାଜଙ୍କୁ ଅଶ୍ଳୀଳ ଭାଷାରେ ଗାଳିକୁଲଜ କରିଥିଲେ। ଖବର ଅନୁଯାୟୀ ତୃତୀୟ ଟେଷ୍ଟର ଦ୍ଵିତୀୟ ଏବଂ ତୃତୀୟ ଦିନରେ ଖେଳାଳିଙ୍କ ଉପରେ ଏମିତି ଟିପ୍ପଣୀ କରାଯାଇଛି। ଅଧିନାୟକ ଆଜିଙ୍କ୍ୟ ରାହାଣେ ଅମ୍ପାୟରଙ୍କ ସହିତ ଏହି ବିଷୟରେ ଅଭିଯୋଗ ମଧ୍ୟ କରିଥିଲେ। ମାତ୍ର ତୃତୀୟ ଦିନର ଖେଳ ସମାପ୍ତ ପରେ ଟିମ୍ ଇଣ୍ଡିଆ ଆନୁଷ୍ଠାନିକ ଭାବେ ଏହି ଅଭିଯୋଗ କରିଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ବିଶୃଂଖଳିତ ଦର୍ଶକଙ୍କୁ ସୁରକ୍ଷାକର୍ମୀଙ୍କ ଜରିଆରେ ଗ୍ୟାଲେରୀରୁ ବାହାର କରିଦିଆଯାଇଥିଲା । ତେବେ ଭାରତୀୟ ଟିମ ଏନେଇ କ୍ରିକେଟ୍ ଅଷ୍ଟ୍ରେଲିଆ ନିକଟରେ ଅଭିଯୋଗ କରିଛି । ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ରଖିଛି କ୍ରିକେଟ୍ ଅଷ୍ଟ୍ରେଲିଆ । ଘଟଣାରେ ଦୋଷୀ ବ୍ୟକ୍ତିଙ୍କୁ ଦଣ୍ଡିତ କରାଯିବ ବୋଲି କୁହାଯାଇଛି । ସେହିପରି ଏହି ଘଟଣା ପରେ ପରେ ବିସିସିଆଇ ନିକଟରେ କ୍ଷମା ପ୍ରାର୍ଥନା କରିଛି କ୍ରିକେଟ ଅଷ୍ଟ୍ରେଲିଆ । ବହୁ ବର୍ଷ ପରେ କ୍ରିକେଟରେ ଏପରି ଜାତିଗତ ଟିପ୍ପଣୀ ଆସିବା ପରେ ବରିଷ୍ଠ କ୍ରିକେଟର ଏହାକୁ ଗଭୀର ସମାଲୋଚନା କରିଛନ୍ତି ।