Odia News Portal

କଟକ-ଭୁବନେଶ୍ବରରେ କାଳବୈଶାଖୀ: କୁଆପଥର ମାଡ଼ ସହ ଘଡ଼ଘଡ଼ି, ବର୍ଷା

ରାଜଧାନୀ ଭୁବନେଶ୍ବରରେ ଆଜି ଅପରାହ୍‌ଣରେ କାଳବୈଶାଖୀର ଉଗ୍ରରୂପ ଦେଖିବାକୁ ମିଳିଛି। କାଳବୈଶାଖୀର ପ୍ରଭାବରେ କିଛି ସ୍ଥାନରେ କୁଆପଥର ମାଡ଼ ହୋଇଛି। ସେହିପରି ଘଡ଼ଘଡ଼ି ସହିତ ବଜ୍ରପାତ ମଧ୍ୟ ହୋଇଛି। ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ଭୁବନେଶ୍ବର ଆକାଶରେ ମେଘ ଘୋଟି ଆସିଥିଲା। ପ୍ରାୟ ୪ଟା ‌୪୫ ବେଳକୁ ପବନ ବହିବା ଆରମ୍ଭ କରିଥିଲା ଏବଂ ଏହାର ୧୫ ମିନିଟ ପରେ କାଳବୈଶାଖୀ ତାର କରାଳ ରୂପ ଦେଖାଇଥିଲା। ଭୁବନେଶ୍ବରବାସୀ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ମୁଖୀନ ହୋଇଛନ୍ତି। ଥଣ୍ଡା ପବନର ଅନୁଭବ କରିଛନ୍ତି। ବର୍ଷା ସମୟରେ ପବନର ବେଗ ମଧ୍ୟ ବଢ଼ିଛି। ବସ୍ତି ଅଞ୍ଚଳରେ ଥିବା ଚାଳଛପରକୁ କ୍ଷତି ପହଞ୍ଚାଇଥିବା ସୂଚନା ମିଳିଥିବା ବେଳେ ରାସ୍ତାକଡ଼ରେ ଥିବା ବଡ଼ବଡ଼ ହୋର୍ଡିଂଗୁଡ଼ିକ କ୍ଷତି ପହଞ୍ଚିଛି। କଟକରେ ମଧ୍ୟ ଆଜି ଅପରାହ୍ଣରେ କୁଆପଥର ମାଡ଼ ହୋଇଛି। ଏଥି ସହିତ ଘଡ଼ଘଡ଼ି ବର୍ଷା ଏବଂ ବଜ୍ରପାତ ହୋଇଛି। କିଛି ସ୍ଥାନରେ ଚାଳଛପର ଘର ଭାଙ୍ଗିଥିବା ବେଳେ  ତଳିଆ ଅଞ୍ଚଳରେ ପାଣି ଭର୍ତ୍ତି ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ କାଳବୈଶାଖୀ ଜନିତ କ୍ଷୟକ୍ଷତି ଜଣାପଡ଼ି ନାହିଁ। ମାର୍ଚ୍ଚ ଶେଷ ସପ୍ତାହରେ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ଉପକୂଳ ସମେତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ। ଏଥିସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତାହାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅର୍ଧାଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ସହ ପାଗକୁ ଦେଖି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଯଦି କାଳବୈଶାଖୀ ପ୍ରଭାବରେ କୌଣସି ସ୍ଥାନରେ କ୍ଷୟକ୍ଷତି ହୁଏ ତେବେ ତୁରନ୍ତ ରିପୋର୍ଟ ଦାଖଲ କରିବ ଜିଲ୍ଲା ପ୍ରଶାସନ।