Odia News Portal

ରବି ଶାସ୍ତ୍ରୀଙ୍କ ଲାଗି ଯୁକ୍ତି ବାଢ଼ିଲେ କପିଲ ଦେବ

ନୂଆଦିଲ୍ଲୀ: ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଶେଷ ହେବାକୁ ଯାଉଛି । ଏଣୁ ତାଙ୍କ ସ୍ଥାନରେ ବିିସିସିଆଇ କାହାକୁ କୋଚ କରିବ ଏବଂ କିଏ କିଏ ଏହି ପୋଷ୍ଟ ଲାଗି ଆପ୍ଲାଇ କରିବେ ତାକୁ ନେଇ ଏବେଠାରୁ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ଏହି ପ୍ରସଙ୍ଗକୁ ନେଇ ଏକ ଜାତୀୟ ଗଣମାଧ୍ୟମରେ ନିଜର ମତାମତ ରଖିଛନ୍ତି ଭାରତକୁ ପ୍ରଥମ ବିଶ୍ୱକପ ଭେଟି ଦେଇଥିବା କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ।

କପିଲ ଦେବ କହିଛନ୍ତି କି, ଏବେ ଶାସ୍ତ୍ରୀଙ୍କ କୋଚିଂରେ ଦଳ ଭଲ ପ୍ରଦର୍ଶନ କରୁଛି । ୨୦୧୯ ବିଶ୍ୱକପରେ ଦଳ ସେମିଫାଇନାଲରେ ପହଞ୍ଚିଥିଲା । ନିକଟରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତ ଫାଇନାଲରେ ପ୍ରବେଶ କରିଥିଲା । ଯଦିଓ ଦୁର୍ଭାଗ୍ୟ ବଶତଃ ଏହି ମ୍ୟାଚଟି ଦଳ ହାରିଯାଇଛି । ତଥାପି ଏବେ ବିଶ୍ୱ ର‌୍ୟାଙ୍କିଙ୍ଗରେ ଭାରତ ଭଲ ସ୍ଥାନରେ ରହିଛି । ଏଣୁ ରବି ଶାସ୍ତ୍ରୀଙ୍କୁ ଏତେ ଶୀଘ୍ର ନକାଢ଼ିବାକୁ ସେ ଯୁକ୍ତି ବାଢ଼ିଛନ୍ତି । ସେପଟେ ଶ୍ରୀଲଙ୍କା ବିପକ୍ଷ ସିରିଜ ଲାଗି ରାହୁଲ ଦ୍ରାବିଡ ଭାରତର କୋଚ ହୋଇଛନ୍ତି । ଏଣୁ ଆଗାମୀ ଦିନରେ ସେ ଦଳର ଦାୟିତ୍ୱ ଗ୍ରହଣ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି । ତେବେ ଆଗାମୀ ଦିନରେ କିଏ କିଏ କୋଚ ପଦ ଲାଗି ନିବେଦନ କରିବେ ତାଉପରେ ରହିଛି ସମସ୍ତଙ୍କ ନଜର ।