କର୍ଣ୍ଣାଟକ କ୍ୟାବିନେଟ୍ର ନିଷ୍ପତ୍ତି ସ୍କୁଲ, କଲେଜରେ ଆର୍ଏସ୍ଏସ୍ କାର୍ଯ୍ୟକଳାପ ଉପରେ ଲାଗିବ କଟକଣା By Swadhikar News Last updated Oct 17, 2025 କର୍ଣ୍ଣାଟକର ସମସ୍ତ ସରକାରୀ ସ୍କୁଲ ଓ କଲେଜ କ୍ୟାମ୍ପସରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର କାର୍ଯ୍ୟକଳାପକୁ ରୋକିବା ପାଇଁ କଟକଣା ଲାଗୁ କରିବାକୁ କର୍ଣ୍ଣାଟକ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ରାଜ୍ୟ ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ ଆଜି ଏ ବାବଦ ସୂଚନା ଦେଇଛନ୍ତି। ରାଜ୍ୟ କ୍ୟାବିନେଟର ଏହି ନିଷ୍ପତ୍ତି ଦ୍ୱାରା ସାରା ରାଜ୍ୟର ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜ ପରିସରରେ ଆର୍ଏସ୍ଏସ୍ ବୈଠକ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯିବା ସମ୍ଭାବନା ରହିଛି। ଆର୍ଏସ୍ଏସ୍ କେନ୍ଦ୍ରର ଶାସକ ଦଳ ବିଜେପିର ବୈଚାରିକ ସଂଗଠନ।ସୂଚନାଯୋଗ୍ୟ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେ ହିଁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଆର୍ଏସ୍ଏସ୍ର କାର୍ଯ୍ୟକଳାପ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ଖଡ଼ଗେଙ୍କ ଅନୁରୋଧ ପରେ ତାଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସୁଥିଲା। ଅନ୍ୟପକ୍ଷରେ ସର୍ବସାଧାରଣ ସ୍ଥାନରେ ଆର୍ଏସ୍ଏସ୍ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଚିଠି ଲେଖିଥିବାରୁ ପ୍ରିୟଙ୍କ ଖଡ଼ଗେଙ୍କୁ ଫୋନ୍ କରି ଅପମାନଜନକ ମନ୍ତବ୍ୟ ଦେଇଥିବା ମହାରାଷ୍ଟ୍ରର ଜଣେ ବ୍ୟକ୍ତିଙ୍କୁ ବେଙ୍ଗାଲୁରୁ ପୁଲିସ ଗିରଫ କରିଛି। ଆର୍ଏସ୍ଏସ୍ ବିରୋଧରେ କଟକଣା ଲାଗୁ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନେଇ ବିଭିନ୍ନ ମହଲ କଡ଼ା ସମାଲୋଚନା କରିଛନ୍ତି। ବିଜେପି ଏଭଳି ପଦକ୍ଷେପକୁ ତୀବ୍ର ସମାଲୋଚନା କରିବା ସହ ରାଜ୍ୟରେ ଆର୍ଏସ୍ଏସ୍ ଉପରେ ପ୍ରତିବନ୍ଧକ ଲଗାଇଲେ ଏଥିଯୋଗୁଁ ଯେଉଁ ପରିସ୍ଥିତି ଉପୁଜିବ ସେଥିପାଇଁ ସିଦ୍ଦରମୈୟା ସରକାର ଦାୟୀ ରହିବ ବୋଲି ଚେତାବନୀ ଦେଇଛି। swadhikarswadhikar news Share