Odia News Portal

ପଞ୍ଜାବ ଅଫିସରଙ୍କୁ କେଜ୍ରିଓ୍ୱାଲଙ୍କ ତାଲିମ

ପଞ୍ଜାବ ଅଫିସରଙ୍କୁ କେଜ୍ରିଓ୍ୱାଲଙ୍କ ତାଲିମ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଅଫିସରମାନଙ୍କୁ ତାଲିମ ନେବା ପାଇଁ ନୂଆଦିଲ୍ଲୀ ପଠାଇବାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ପଞ୍ଜାବ ଅଫିସରମାନଙ୍କ ବୈଠକ ନେଇଥିଲେ । ଏହାକୁ ନେଇ ପଞ୍ଜାବ ବିରୋଧୀ ଦଳ ସମାଲୋଚନା କରିଛି । ପଞ୍ଜାବ ସରକାରଙ୍କ ରିମୋର୍ଟ କଣ୍ଟ୍ରୋଲ ଆପ୍ ମୁଖ୍ୟଙ୍କ ହାତରେ ବୋଲି କଟାକ୍ଷ କରିଛି କଂଗ୍ରେସ । ତେବେ ଏଭଳି ସମାଲୋଚନାର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ । ସେ କହିଛନ୍ତି, ରାଜ୍ୟର ଅଫିସରମାନଙ୍କୁ ତାଲିମ ନେବା ପାଇଁ ଆବଶ୍ୟକ ପଡିଲେ ସେ ଗୁଜରାଟ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଅଥବା ଇସ୍ରାଏଲ ପଠାଇବେ । ଏଥିରେ କାହାର କିଛି ଆପତ୍ତି କରିବାର ନାହିଁ । ଦିଲ୍ଲୀ ସରକାର ଶକ୍ତି, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଅଭିଜ୍ଞ ହୋଇଥିବାରୁ ସେ ଅଫିସରଙ୍କୁ ତାଲିମ ନେବା ପାଇଁ ପଠାଇଛନ୍ତି ।
ସୋମବାରଦିନ ଦିଲ୍ଲୀରେ ପଞ୍ଜାବ ଶକ୍ତି ନିଗମର ଅଧିକାରୀମାନଙ୍କ ସହ କେଜ୍ରିଓ୍ୱାଲ ବୈଠକ କରିଥିଲେ । ବୈଠକରେ ପଞ୍ଜାବ ମୁଖ୍ୟ ଶାସନ ସଚିବ ଓ ଶକ୍ତି ବିଭାଗ ସଚିବ ଉପସ୍ଥିତ ଥିଲେ । କେଜ୍ରିଓ୍ବାଲଙ୍କ ଏହି ବୈଠକ ପ୍ରମାଣିତ କରିଦେଇଛି, ପଞ୍ଜାବ ସରକାରରେ ମୁଖ୍ୟମନ୍ତ୍ରୀ ମାନ୍ କେବଳ ଏକ ସଖୀ କଣ୍ଢେଇ ବୋଲି ବିରୋଧୀ କହିଛନ୍ତି ।