ବାଲେଶ୍ବର ଜିଲ୍ଲା ରେମୁଣାସ୍ଥିତ ବିଶ୍ୱପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଭୋଗ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ଘଟଣାରେ ୩ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଠାକୁରଙ୍କ ଭୋଗ ଫିଙ୍ଗିବାକୁ ବି ପଛାଇ ନାହାନ୍ତି। ରାଜ୍ୟର ଏକ ପ୍ରସିଦ୍ଧ ଧର୍ମପୀଠରେ ଏହିଭଳି ପରିସ୍ଥିତି ସୃଷ୍ଟି ହେବାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୯ଟା ସମୟରେ ଦୁଇ ଭୋଗ ବ୍ୟବସାୟୀ ନରୋତ୍ତମ ଦାସ ଓ ପିଣ୍ଟୁ ଦାସଙ୍କ ମଧ୍ୟରେ ବସିବା ସ୍ଥାନକୁ ନେଇ ପ୍ରଥମେ ବଚସା ହୋଇଥିଲା। ଉଭୟ ହାତାହାତି ହେବା ସହିତ ପରସ୍ପରର ଦୋକାନକୁ ଭାଙ୍ଗି ମନ୍ଦିର ସାମନାରେ ଭୋଗ ଫିଙ୍ଗି ଦେଇଥିଲେ। ପରେ ଏହି ଘଟଣାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ସକାଳ ୯ଟାରୁ ପ୍ରାୟ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ମନ୍ଦିର ପରିସରରେ ଉତ୍ତେଜନା ଯୋଗୁ ଭକ୍ତମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଏଭଳି ସ୍ଥିତିରେ ପିଣ୍ଟୁଙ୍କ ବିରୋଧରେ ନରୋତ୍ତମ ସାଂଘାତିକ ଅଭିଯୋଗ ଆଣିଥିଲେ। ପିଣ୍ଟୁ ନକଲି, କେମିକାଲ ମିଶା ଭୋଗ ବିକ୍ରୟ କରୁଥିବା ଏବଂ ଭୋଗ ସାମଗ୍ରୀରେ ଆମିଷଜାତୀୟ ଜିନିଷ ମିଶୁଥିବା ଅଭିଯୋଗ କରିବା ସହିତ ଯାଞ୍ଚ ପାଇଁ ଦାବି କରିଥିଲେ। ଏଥିସହିତ, ନରୋତ୍ତମ ସଂପୃକ୍ତ ଭୋଗ ସାମଗ୍ରୀକୁ ମନ୍ଦିର ସାମନାରେ ଥିବା ପୋଖରୀରେ ଫିଙ୍ଗି ଦେଇଥିଲେ। ଏ ସମ୍ପର୍କରେ ଖବରପାଇ ରେମୁଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ଡାକି ବୁଝାସୁଝା କରିଥିବା ଜଣାପଡ଼ିଛି। ନରୋତ୍ତମଙ୍କ ପତ୍ନୀ ଦମୟନ୍ତୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା (କେସ୍ ନମ୍ବର ୨୨୯/୨୫ ) ରୁଜୁ କରିଥିବା ବେଳେ ପିଣ୍ଟୁ ଦାସଙ୍କ ଅଭିଯୋଗ ଅଧାରରେ ଅନ୍ୟ ଏକ ମାମଲା (କେସ୍ ନମ୍ବର ୨୩୦/୨୫) ରୁଜୁ କରିଛି। ଏହାକୁ ନେଇ ମନ୍ଦିରରେ ଚାପା ଉତ୍ତେଜନା ଲାଗିରହିଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର କହିଛନ୍ତି, ‘ପୂର୍ବରୁ ବହୁବାର ମନ୍ଦିର ସମ୍ମୁଖରେ ବସିବାକୁ ବାରଣ କରାଯିବା ସହିତ ଜିଲ୍ଲାପାଳ ଓ ପୁଲିସ ପ୍ରଶାସନ ସହିତ ଆଲୋଚନା କରିଥିଲି। ବିଭାଗୀୟ ଅଧିକାରୀଙ୍କୁ ପଦକ୍ଷେପ ନେବାକୁ ଅନୁରୋଧ କରିଛି।’
