ରାଜ୍ୟ ବାହାରେ ଗଜପତିର ଲକ୍ଷାଧିକ ଦାଦନ: ଶ୍ରମ ବିଭାଗ ହିସାବରେ ମାତ୍ର ୩୫ ଜଣ, ୪ ବର୍ଷରେ ଯାଇଛି ୧୮ଜୀବନ By Swadhikar News Last updated Mar 18, 2026 ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ କର୍ମସଂସ୍ଥାନ ଓ ଶିଳ୍ପ ନ ଥିବାରୁ ଲକ୍ଷାଧିକ ଯୁବକଯୁବତୀ ରାଜ୍ୟ ବାହାରେ ଏବଂ ବିଦେଶରେ ଖଟୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଶ୍ରମ ବିଭାଗର ତଥ୍ୟାନୁସାରେ ଜିଲ୍ଲାରୁ ମାତ୍ର ୩୫ ଜଣ ଶ୍ରମିକ ରାଜ୍ୟ ବାହାରେ କାମ କରୁଛନ୍ତି। ୯୦ ହଜାରରୁ ଅଧିକ ପଞ୍ଜୀକୃତ ଶ୍ରମିକ ରହିଥିବା ବେଳେ ୫ ଜଣ ଠିକାଦାର ୩୫ ଜଣ ଶ୍ରମିକଙ୍କୁ ରାଜ୍ୟ ବାହାରକୁ ପଠାଇଥିବା ବିଭାଗ ପକ୍ଷରୁ କୁହାଯାଉଛି। ତେବେ ପ୍ରକୃତ କଥା ହେଉଛି, ଜିଲ୍ଲାର ୭ଟି ବ୍ଲକର ପ୍ରାୟ ୩୦ ହଜାରରୁ ଅଧିକ ଶ୍ରମିକ ସଂଗଠିତ ଓ ଅଣସଂଗଠିତ ଭାବେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଗୁଜରାଟ, ତାମିଲନାଡୁ, ମହାରାଷ୍ଟ୍ର ଓ କେରଳ ଆଦି ରାଜ୍ୟରେ ଦାଦନ ଖଟୁଛନ୍ତି। ଦିନ ମଜୁରିଆ ଓ ନିର୍ମାଣ ଶ୍ରମିକ ଭାବେ ସେମାନେ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି। ବିଭିନ୍ନ କାରଖାନାରେ ବିପଦସଙ୍କୁଳ ଅବସ୍ଥାରେ କାମ କରିଆସୁଛନ୍ତି। ତେବେ ଠିକାଦାରଙ୍କ ମାଧ୍ୟମରେ ହେଉ ଅଥବା ନିଜସ୍ବ ଉଦ୍ୟମରେ, ବାହାର ରାଜ୍ୟକୁ ଯୁବକଯୁବତୀ କାମ କରିବାକୁ ଗଲେ ଏହାର ସବିଶେଷ ତଥ୍ୟ ଶ୍ରମ ବିଭାଗ ନିକଟରେ ରହୁନି। ଫଳରେ ଶ୍ରମିକମାନେ ସରକାରୀ ସହାୟତା ରାଶି, କ୍ଷତିପୂରଣ ଓ ବୀମାରାଶି ପାଇବାରୁ ବଞ୍ଚିତ ହେଉଛନ୍ତି। ବିଶେଷକରି କିଛି ଅଘଟଣ ଘଟିଲେ କିମ୍ବା ଶ୍ରମିକଙ୍କ କୌଣସି ସମସ୍ୟା ଦେଖାଦେଲେ ସଂପୃକ୍ତ କମ୍ପାନି ଓ ଠିକାସଂସ୍ଥା ସହଯୋଗ କରୁ ନଥିବାର ନଜିର୍ ରହିଛି। ତଥ୍ୟ ଅନୁସାରେ ଗତ ୪ ବର୍ଷ ମଧ୍ୟରେ ବାହାର ରାଜ୍ୟରେ କାମ କରୁଥିବା ଜିଲ୍ଲାର ୧୮ ଜଣ ଦାଦନ ଶ୍ରମିକଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି। ୪ ଜଣ ଆହତ ହୋଇ ଅକର୍ମଣ୍ୟ ପାଲଟିଛନ୍ତି। ଅନ୍ୟପକ୍ଷରେ ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି, ବାରମ୍ବାର ସଚେତନ କରାଯାଉଥିଲେ ହେଁ, ଠିକାଦାର କିମ୍ବା ଶ୍ରମିକମାନେ ନିଜଆଡ଼ୁ ପଞ୍ଜୀକରଣ କରୁନାହାନ୍ତି। ସରକାରଙ୍କ ‘ପରିଶ୍ରମ’ ପୋର୍ଟାଲ୍ ମାଧ୍ୟମରେ ନିଜେ ଶ୍ରମିକ ମଧ୍ୟ ତଥ୍ୟ ଦେଇପାରିବେ। କିନ୍ତୁ ତାହା ବି ସମ୍ଭବ ହେଉନି। ପଞ୍ଚାୟତସ୍ତରରେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ସରପଞ୍ଚଙ୍କ ଜରିଆରେ ପ୍ରତି ଗାଁରୁ ତଥ୍ୟ ନେଇ ପଞ୍ଜୀକରଣ କରିବା କଥା। ନିର୍ବାହୀ ଅଧିକାରୀମାନେ ଉକ୍ତ ଦାୟିତ୍ବକୁ ତୁଲାଉ ନ ଥିବାରୁ ସରକାରଙ୍କ ନିକଟରେ ଦାଦନ ଶ୍ରମିକଙ୍କ ପ୍ରକୃତ ତଥ୍ୟ ରହୁ ନଥିବା ବିଭାଗ ପକ୍ଷରୁ ଦର୍ଶାଯାଇଛି। ଅଲ୍ ଇଣ୍ଡିଆ କିଷାନ୍ ମଜଦୁର ସଂଘ ଜିଲ୍ଲା ସମ୍ପାଦକ କେଦାର ଶବର କହିଛନ୍ତି, ଜିଲ୍ଲାରେ କାମଧନ୍ଦା ନପାଇ ଲକ୍ଷାଧିକ ଶ୍ରମିକ ବାହାର ରାଜ୍ୟକୁ ଯାଉଛନ୍ତି। ଏଣୁ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା କରିବା ଜରୁରି ହୋଇପଡ଼ିଛି। କିଛି ଶ୍ରମିକ ବାହାର ରାଜ୍ୟକୁ ଯାଇ ରୋଜଗାରକ୍ଷମ ହୋଇ ନିଜ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିପାରିଛନ୍ତି। କିନ୍ତୁ ନିଜର ଓ ପରିବାରର ସୁରକ୍ଷା ଦୃଷ୍ଟିରୁ ସେମାନେ ପଞ୍ଜୀକୃତ ହେଉ ନ ଥିବାରୁ ସମସ୍ୟା ଦେଖାଦେଉଥିବା ମତପ୍ରକାଶ ପାଇଛି। swadhikarswadhikar news Share