Odia News Portal

ପଞ୍ଚଭୂତରେ ବିଲୀନ ହେଲା ମିହିର ଦାସଙ୍କ ପାର୍ଥୀବ ଶରୀର

ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ଅଭିନେତା ଦାସଙ୍କ ପାର୍ଥିବ ଶରୀର। କଟକ ସ୍ଥିତି ସତୀଚଉରାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ବାସଭବନରୁ ପାର୍ଥିବ ଶରୀର ବାହାରି କଟକ ରାମଗଡ଼ରେ ଥିବା ଆଉ ଏକ ଘରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ସେଠାରୁ ପୁଣି ଶୋଭାଯାତ୍ରାରେ କଟକ ସତୀ ଚୌରାକୁ ନିଆଯାଇଥିଲା। । ମିହିର ଦାସଙ୍କୁ ତାଙ୍କ ବଡ଼ ପୁଅ ଅମ୍ଳାନ ମୁଖାଗ୍ନ ଦେଇଥିଲେ । ପରିବାର, ପ୍ରଂଶସକ ଓ ଆତ୍ମୀୟ ଗହଣରେ ଶେଷ ବିଦାୟ ନେଇଛନ୍ତି ଭୋଳାଶଙ୍କର ।
ସୂଚନା ଅନୁସାରେ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଗତକାଲି ତାଙ୍କର ବିୟୋଗ ହୋଇଥିଲା । ୧୯୫୯ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ ସେ ଜନ୍ମ ହୋଇଥିଲେ । ହିରୋ, ଭିଲେନ୍, କମେଡିଆନ ସବୁ ଅଭିନୟରେ ମାହିର୍ ଥିଲେ ମିହିର । ଉଚ୍ଚ କୋଟିର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଏକାଧିକ ବାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ମିହିର ଦାସ । ୧୨୦ରୁ ଅଧିକ ଫିଲ୍ମ ଓ ଅନେକ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ ମିହିର ଦାସ । ୧୯୭୯ ମସିହାରେ ସିନେମା ମଥୁରା ବିଜୟରୁ ଫିଲ୍ମ ଜଗତରେ ପାଦ ଥାପିଥିଲେ ଏହି ଅଭିନେତା । ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତା ମିହିର ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।