Odia News Portal

ଇସ୍କନ ଅଦିନିଆ ରଥଯାତ୍ରା ଜାରି ରଖିଲେ ନିଆଯାଇପାରେ ଆଇନଗତ କାର୍ଯ୍ୟାନୁଷ୍ଠାନ: ଗଜପତି ମହାରାଜା

ଜଗନ୍ନାଥ ମନ୍ଦିରର ପାରମ୍ପରିକ ରୀତିନୀତିରୁ ବିଚ୍ୟୁତି ହୋଇ ବାରମ୍ବାର ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା କରୁଛି ଇସ୍କନ । ଚଳିତ ବର୍ଷ ଅତିଥିରେ ଭାରତ ବାହାରେ 80 ସ୍ଥାନରେ ରଥଯାତ୍ରା ଓ 10ଟି ସ୍ଥାନରେ ସ୍ନାନଯାତ୍ରା ଆୟୋଜନ ହେବାର ସମ୍ଭାବନା ଅଛି । ଏନେଇ ଉଦବେଗ ପ୍ରକାଶ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ବାରମ୍ବାର ଅନୁରୋଧ ସତ୍ତ୍ୱେ, ଯଦି ଇସ୍କନ ଅଦିନରେ ମହାପ୍ରଭୁଙ୍କ ପର୍ବ ପାଳନ ଜାରି ରଖେ, ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ସତର୍କ କରିଛନ୍ତି ଗଜପତି ମହାରାଜା ।ଗତକାଲି (ଶନିବାର) ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ‘ଐକ୍ୟ ସ୍ଥାପନ ମଣ୍ଡଳୀ’ ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ପରେ ଗଜପତି କହିଛନ୍ତି ଯେ, ସମସ୍ତ ଜଗନ୍ନାଥ ମନ୍ଦିର ଏବଂ ରାଜ୍ୟ, ତଥା ଦେଶ ଏବଂ ଦେଶ ବାହାରେ ମୂଳ ପୀଠ ଆଧାରରେ ତିଥିରେ ହିଁ ଯାନିଯାତ୍ରା ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ସମସ୍ତ ଜଗନ୍ନାଥ ମନ୍ଦିରରେ ଶ୍ରୀମନ୍ଦିରରେ ପାଳିତ ହେଉଥିବା ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ସମେତ ଅନ୍ୟ ପ୍ରାୟ 25ଟି ନୀତିକୁ ପାଳନ କରିବା ବିଧେୟ ବୋଲି ନିଷ୍ପତ୍ତି ହୋଇଛି ।ଯଦିଓ ଶ୍ରୀମନ୍ଦିରରେ ପାଳିତ ସମସ୍ତ ନୀତି ସମସ୍ତ ଜଗନ୍ନାଥ ମନ୍ଦିରରେ ପାଳନ କରିବା ସମ୍ଭବ ନୁହେଁ ବୋଲି ବିଚାର କରାଯାଇଛି, ମାତ୍ର ରାଜ୍ୟ, ଦେଶ ତଥା ଦେଶ ବାହାରେ ମୂଳପୀଠ ଆଧାରରେ ଗୋଟିଏ ତିଥିରେ ନୀତି ପାଳନ ନେଇ ଆଚାର୍ଯ୍ୟମାନେ ମତ ରଖିଛନ୍ତି । ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଓ ଅନ୍ୟ ଅନେକ ଧାର୍ମିକ ବିଦ୍ୱାନ ପରାମର୍ଶ ଦେଇଛନ୍ତି ଯେ, ଶାସ୍ତ୍ରୀୟ ପରମ୍ପରା ଅନୁଯାୟୀ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ରଥଯାତ୍ରା କଡ଼ାକଡ଼ି ପାଳନ କରାଯିବା ଉଚିତ ।ତେବେ 19 ଅକ୍ଟୋବର 2025ରେ ଇସ୍କନ ମୁଖ୍ୟାଳୟ ଚିଠି ଅନୁସାରେ, ଭାରତ ଭିତରେ ଇସ୍କନ, ତିଥିରେ ହିଁ ରଥଯାତ୍ରା ପାଳନ କରିଆସୁଛି । କିନ୍ତୁ ଭାରତ ବାହାରେ ବିଭିନ୍ନ ସମୟରେ ପାଳନ କରିପାରିବେ ବୋଲି ଇସ୍କନ ମତ ଦେଇଛି । କିନ୍ତୁ ଶାସ୍ତ୍ରୀୟ ମତ ଅନୁସାରେ, ମହାପ୍ରଭୁ, ଚତୁର୍ଦ୍ଧାମୂର୍ତ୍ତି, କେବଳ ଦୁଇଟି ତିଥିରେ ହିଁ ବାହାରକୁ ଆସି ପାରିବେ । ଗୋଟିଏ ଜ୍ୟେଷ୍ଠ ପୂର୍ଣ୍ଣିମା ସ୍ନାନ ପୂର୍ଣ୍ଣିମା ତିଥିରେ । ଅନ୍ୟଟି ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ । ତେଣୁ ଏହି ଆଧାରରେ ପୁନଶ୍ଚ ଇସ୍କନ ମୁଖ୍ୟାଳୟକୁ ଚିଠି ଲେଖାଯିବ । ଦେଶ ବାହାରେ ମଧ୍ୟ ଗୋଟିଏ ତିଥିରେ ନୀତି ପାଳନ ନେଇ ପୁଣି ଥରେ ଇସ୍କନକୁ ଚିଠି ଲେଖାଯିବ ।ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି, “ଆଇନର ଆଶ୍ରୟ ନେବାପୂର୍ବରୁ ସମସ୍ତ ବିଧେୟ ବ୍ୟବସ୍ଥା ଗ୍ରହଣ କରାଯିବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏ ବିଷୟରେ ଅବଗତ କରାଯାଇଥିବା ବେଳେ ଉଭୟ ସରକାରଙ୍କ ହସ୍ତକ୍ଷେପ ଲୋଡାଯିବ । ଏପରି ବିଚ୍ୟୁତିକୁ ରୋକିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ଇସ୍କନ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ସମ୍ମାନ ଦେଇ ଅଦିନିଆ ରଥଯାତ୍ରା ବନ୍ଦ କରିବ ବୋଲି ଆଶା ରହିଛି ।”