ମୁଣ୍ଡରେ ଜଟା, କପାଳରେ ଟିକା ଓ ଗଳାରେ ରୁଦ୍ରାକ୍ଷମାଳା ଲମ୍ବାଇ ଜିନିଭାସ୍ଥିତ ଜାତିସଂଘ କାର୍ଯ୍ୟାଳୟରେ ଇଂରାଜୀ ଭାଷାରେ ଅନର୍ଗଳ ଭାଷଣ ଦେଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିବା ଥିବା ଗୈରିକ ବସ୍ତ୍ର ପରିହିତା ନାରୀଜଣକ କିଏ ବୋଲି ଜାଣିବାକୁ ସଭିଏଁ ଆଗ୍ରହୀ ।
ସଂଗୃହୀତ ସୂଚନା ଅନୁସାରେ, ସେ ହେଉଛନ୍ତି ବିବାଦୀୟ ସାଧୁ ନିତ୍ୟାନନ୍ଦଙ୍କ ନିଜସ୍ବ ଦେଶ ‘ୟୁନାଇଡେଟ୍ ଷ୍ଟେଟସ୍ ଅଫ୍ କୈଳାସ’ର ଅନ୍ୟତମ ପ୍ରତିନିଧି ମା ବିଜୟପ୍ରିୟା ନିତ୍ୟାନନ୍ଦ। ନିକଟ ଅତୀତରେ ସେ ୱାସିଂଟନ୍ସ୍ଥିତ ଜାତିସଂଘ ବୈଠକରେ ଉପରୋକ୍ତ ଦେଶର ପ୍ରତିନିଧିତ୍ବ କରିଥିଲେ।
ଜାତିସଂଘର ୧୯ଶ ‘ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାର କମିଟି’ରେ ବକ୍ତବ୍ୟ ଉପସ୍ଥାପନ କରି ସେ କହିଲେ କି, ହିନ୍ଦୁବାଦର ଶ୍ରେଷ୍ଠ ପୁରୋଧାଙ୍କୁ ସୁରକ୍ଷା ଦିଆଯିବା ଉଚିତ।
ଉଲ୍ଲେଖଯୋଗ୍ୟ, ଭାରତରେ ନିତ୍ୟାନନ୍ଦ ଅନେକ ଆଶ୍ରମ ଚଳାଉଥିଲେ। ଯୌନ ନିର୍ଯାତନା ଓ ଉତ୍ପୀଡ଼ନ ମାମଲାରେ ଅଭିଯୁକ୍ତ ହେବା ପରେ ସେ ଭାରତରୁ ଖସି ପଳାଇଛନ୍ତି। ଦୁଷ୍କର୍ମ ଓ ଶିଶୁ ନିର୍ଯାତନା ଅଭିଯୁକ୍ତ ନିତ୍ୟାନନ୍ଦଙ୍କ ନାମରେ କର୍ଣ୍ଣାଟକର ସେସନ୍ କୋର୍ଟ ୨୦୧୦ରେ ଜାମିନବିହୀନ ପରୱାନା ଜାରି କରିଛନ୍ତି।
ତେଣୁ, ନିତ୍ୟାନନ୍ଦଙ୍କ ସୁରକ୍ଷା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଲାଗି ଏହି ବୈଠକରେ ମା ବିଜୟପ୍ରିୟା ନିତ୍ୟାନନ୍ଦ ଜାତିସଂଘକୁ ଅନୁରୋଧ କରିଛନ୍ତି।
ଜାତିସଂଘ ଅପ୍ଲୋଡ୍ କରିଥିବା ଏହି ବୈଠକର ଭିଡିଓରେ ବିଜୟପ୍ରିୟାଙ୍କୁ ‘କୈଳାସ’ର ସ୍ଥାୟୀ ରାଷ୍ଟ୍ରଦୂତ ଭାବେ ଦର୍ଶାଯାଉଛି। କିନ୍ତୁ, ଏହି ନୂଆ ଦେଶକୁ ଜାତିସଂଘ ସ୍ବୀକୃତି ଦେଇଛି କି, ନାହିଁ ତାହା ଏବେ ମଧ୍ୟ ସ୍ପଷ୍ଟ ହୋଇନାହିଁ।
ମା ବିଜୟପ୍ରିୟା କହିଛନ୍ତି, ହିନ୍ଦୁବାଦର ପ୍ରଥମ ସାର୍ବଭୌମ ଦେଶ ‘କୈଳାସ’ର ସଂସ୍ଥାପକ ହେଉଛନ୍ତି ହିନ୍ଦୁବାଦର ଶ୍ରେଷ୍ଠ ପୁରୋଧା ନିତ୍ୟାନନ୍ଦ ପରମଶିବମ୍। ସେ ଆଦି ଶୈବ୍ୟ ଦେଶୀୟ କୃଷକ ଜନଜାତି ସମେତ ମହାନ୍ ହିନ୍ଦୁ ସଭ୍ୟତା ଓ ତା’ର ୧୦,୦୦୦ ହିନ୍ଦୁବାଦ ପ୍ରଥା-ପରମ୍ପରାର ପୁନରୁତ୍ଥାନ କରୁଛନ୍ତି।
ହିନ୍ଦୁବାଦର ଦେଶୀୟ ପ୍ରଥା ଓ ଜୀବନଚର୍ଯ୍ୟାର ପୁନରୁତ୍ଥାନ କରୁଥିବା କାରଣରୁ ତାଙ୍କ ନାମରେ ଅନେକ ମାମଲା କରାଯିବା ସହିତ ତାଙ୍କ କ୍ଷେତ୍ରରେ ମାନବ ଅଧିକାର ଉଲ୍ଲଂଘନ ମଧ୍ୟ କରାଯାଇଛି। ତାଙ୍କୁ ପ୍ରବଚନ ଦେବାରୁ ବଞ୍ଚିତ କରାଯିବା ସହିତ ଜନ୍ମିତ ଦେଶରୁ ନିର୍ବାସିତ କରାଯାଇଛି ବୋଲି ମା ବିଜୟପ୍ରିୟା କହିଛନ୍ତି।
ବିଜୟପ୍ରିୟା କହିଛନ୍ତି ଯେ, ନିତ୍ୟାନନ୍ଦ ଓ ‘କୈଳାସ’ରେ ବାସ କରୁଥିବା ୨ ନିୟୁତ ହିନ୍ଦୁଙ୍କ ବିରୋଧରେ ମାମଲାବନ୍ଦ କରିବା ପାଇଁ ଜାତିସଂଘ ପଦକ୍ଷେପ ଗ୍ରହଣ କରିବା ଉଚିତ।
‘କୈଳାସ’ର ୱେବ୍ସାଇଟ୍ ଅନୁସାରେ, ଏହା ହେଉଛି ସୀମା ସରହଦ ନ ଥିବା ଏକ ରାଷ୍ଟ୍ର। ନିଜ ନିଜ ରାଷ୍ଟ୍ରରେ ହିନ୍ଦୁ ପ୍ରଥା ପରମ୍ପରା ପାଳନ କରିବାରୁ ବଞ୍ଚିତ ସମଗ୍ର ବିଶ୍ବରୁ ବିତାଡ଼ିତ ହୋଇଥିବା ହିନ୍ଦୁମାନେ ଏହି ରାଷ୍ଟ୍ରର ନିର୍ମାତା।
୧୫୦ଟି ଦେଶରେ କୈଳାସ ଦୂତାବାସ ଓ ‘ଏନ୍ଜିଓ’ ଖୋଲିଛି ବୋଲି ମା ବିଜୟପ୍ରିୟା କହିଛନ୍ତି।