Odia News Portal

ବିଶ୍ବସ୍ତରୀୟ ହେବ ମା’ ସମଲେଶ୍ବରୀ ପୀଠ: ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର ମା’ ସମଲେଶ୍ବରୀ ପୀଠର ସମସ୍ତ କାର୍ଯ୍ୟ ବିଶ୍ବସ୍ତରୀୟ ହେବ। ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ସମଲେଶ୍ବରୀଙ୍କ ପୀଠରେ ବର୍ଷବ୍ୟାପୀ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ଏଥିସହିତ ସମ୍ବଲପୁର ଜିଲ୍ଲାର ମଧ୍ୟ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ପ୍ରସିଦ୍ଧି ରହିଛି। ସେଥିପାଇଁ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଏହାକୁ ନଜରରେ ରଖି ବିକାଶ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ବରୀ ପୀଠ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୈଠକରୁ ଜଣାପଡ଼ିଛି ଯେ ମା’ ସମଲେଶ୍ବରୀ ମନ୍ଦିର ବିକାଶ କାମ ୩୧୬ କୋଟି ଟଙ୍କା ବିନିଯୋଗରେ ୮୨ ଏକର ପରିମିତ ଅଞ୍ଚଳରେ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଛି। ପ୍ରଥମ ପର୍ଯ୍ୟାୟରେ ମନ୍ଦିର ଚତୁଃପାର୍ଶ୍ବର କରିଡର ନିର୍ମାଣ, ଗୋପାଳଜୀଉ ମଠର ବିକାଶ, ଦୀପ ଘର, ପାର୍କିଂ ସୁବିଧା, ରିଭର ଫ୍ରଣ୍ଟ ବିକାଶ ସହିତ ଅନ୍ୟାନ୍ୟ ଯାତ୍ରୀ ଓ ଦର୍ଶନାର୍ଥୀ ସୁବିଧା ଉପଲବ୍ଧ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ଭକ୍ତ ନିବାସ, ଲେକ୍‌ ଜୋନ୍‌, ଦୋକାନ ଗୃହ, ଫୁଡ୍‌ ପାର୍କ, ପାର୍କିଂ ଓ ପ୍ରବେଶ ପଥ ବିକଶିତ କରାଯିବ। ଏହାସହ ନିର୍ମାଣ ହେବାକୁ ଥିବା ଭକ୍ତ ନିବାସରେ ଅଧିକ ସଂଖ୍ୟକ ଭକ୍ତଙ୍କ ରହଣି ସୁବିଧା ପାଇଁ ଆବଶ୍ୟକସ୍ଥଳେ ବହୁତଳ ବିଶିଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ମନ୍ଦିର ବିକାଶ କାର୍ଯ୍ୟ ପାଇଁ ବିସ୍ଥାପିତ ହେଉଥିବା ବାସିନ୍ଦାଙ୍କ ଉପଯୁକ୍ତ ଥଇଥାନ ପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।